ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ଦାବି କରାଯାଉଥିଲା ଯେ କିଛି ଅବସରପ୍ରାପ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ ପେନ୍ସନ ବନ୍ଦ ହୋଇପାରେ କିମ୍ୱା ୨୦୨୬ ପରେ ଅବସର ନେଉଥିବା ଲୋକଙ୍କୁ ହିଁ ପେନଶନ ସଂଶୋଧନ (Pension Revision) ର ଫାଇଦା ମିଳିବ। ଏବେ ଏହି ଦାବିକୁ ନେଇ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି।

NC-JCM ଷ୍ଟାଫ ସାଇଡର ଜେନେରାଲ ସେକ୍ରେଟାରୀ ଶିବ ଗୋପାଳ ମିଶ୍ର ଏହି ଖବରଗୁଡ଼ିକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହିଛନ୍ତି। ସେ କହିଛନ୍ତି ଯେ ପେନ୍ସନ ବନ୍ଦ ହେବା କିମ୍ୱା କିଛି ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନ୍ସନ ସଂଶୋଧନରୁ ବାଦ ଦିଆଯିବା କଥା ସମ୍ପୂର୍ଣ୍ଣ ଆଧାରହୀନ।

ଶିବ ଗୋପାଳ ମିଶ୍ର ଏକ ଭିଡିଓ ସନ୍ଦେଶ ଜାରି କରି ପେନଶନଭୋଗୀଙ୍କୁ ଏପରି ଗୁଜବ ଉପରେ ବିଶ୍ୱାସ ନକରିବାକୁ କହିଛନ୍ତି। ସେ ଜଣାଇଛନ୍ତି ଯେ ଅନେକ ପେନଶନଭୋଗୀ ତାଙ୍କ ସହ ସମ୍ପର୍କ କରିଥିଲେ, କାରଣ ସୋସିଆଲ ମିଡିଆରେ ତାଙ୍କ ନାଁରେ ଏପରି ମେସେଜ ସବୁ ପ୍ରଚାର କରାଯାଉଥିଲା ଯେଉଁଥିରେ ପେନ୍ସନ ବନ୍ଦ ହେବା କଥା କୁହାଯାଇଥିଲା।

ସୋସିଆଲ ମିଡିଆରେ ଏହା ମଧ୍ୟ ଦାବି କରାଯାଉଥିଲା ଯେ କେବଳ ୨୦୨୬ ପରେ ଅବସର ନେଉଥିବା କର୍ମଚାରୀଙ୍କୁ ହିଁ ୮ମ ବେତନ ଆୟୋଗ ଅଧୀନରେ ପେନ୍ସନ ସଂଶୋଧନର ଫାଇଦା ମିଳିବ।

ଏହା ଉପରେ ମଧ୍ୟ ମିଶ୍ର ସ୍ଥିତି ସ୍ପଷ୍ଟ କରିଛନ୍ତି। ତାଙ୍କ କହିବା ଅନୁସାରେ, ପୂର୍ୱରୁ କିମ୍ୱା ପରେ ଅବସର ନେଇଥିବା ପେନଶନଭୋଗୀଙ୍କ ମାମଲା ଉପରେ ୮ମ ବେତନ ଆୟୋଗରେ ଆଲୋଚନା ଚାଲିଛି। ଅର୍ଥାତ ବର୍ତ୍ତମାନ ସୁଦ୍ଧା ଏପରି କୌଣସି ନିଷ୍ପତ୍ତି ହୋଇନାହିଁ ଯେ ପୁରୁଣା ପେନଶନଭୋଗୀଙ୍କୁ ପେନ୍ସନ ସଂଶୋଧନରୁ ବାଦ ଦିଆଯିବ।

୮ମ ବେତନ ଆୟୋଗ ସାମ୍ନାରେ କର୍ମଚାରୀଙ୍କ ସହ ପେନଶନଭୋଗୀଙ୍କ ସହ ଜଡ଼ିତ ମୁଦ୍ଦାଗୁଡ଼ିକୁ ମଧ୍ୟ ରଖାଯାଉଛି। NC-JCM ଷ୍ଟାଫ ସାଇଡ ପୂର୍ୱରୁ ଦାବି କରିସାରିଛି ଯେ ବର୍ତ୍ତମାନର ପେନଶନଭୋଗୀ ଏବଂ ଫ୍ୟାମିଲି ପେନଶନଭୋଗୀଙ୍କୁ ପେନ୍ସନ ସଂଶୋଧନ ପରିସରରେ ସ୍ପଷ୍ଟ ଭାବେ ସାମିଲ କରାଯାଉ।

ନଭେମ୍ୱର ୨୦୨୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଠାଯାଇଥିବା ସ୍ମାରକପତ୍ରରେ ଏହି ସଂଗଠନ ସର୍ତ୍ତାବଳୀ (Terms of Reference) ରେ ପରିବର୍ତ୍ତନ ପାଇଁ ଦାବି କରିଥିଲା। ଏଥିରେ ବର୍ତ୍ତମାନର ପେନଶନଭୋଗୀ ଏବଂ ଫ୍ୟାମିଲି ପେନ୍ସନ୍ଭୋଗୀଙ୍କୁ ପେନ୍ସନ ସଂଶୋଧନ ପରିସରରେ ସାମିଲ କରିବା ଏବଂ ଆୟୋଗକୁ ଏହା କାର୍ଯ୍ୟକାରୀ ହେବାର ତାରିଖ ସୁପାରିଶ କରିବାର ଅଧିକାର ଦେବା ଦାବି ସାମିଲ ଥିଲା।

୮ମ ବେତନ ଆୟୋଗ ପରେ ପେନଶନ କେତେ ପ୍ରତିଶତ କିମ୍ୱା କେତେ ଟଙ୍କା ବୃଦ୍ଧି ହେବ, ସେ ନେଇ ଏବେ କିଛି କହିବା ସମୟପୂର୍ୱରୁ ହୋଇଯିବ। ଏହାର ନିଷ୍ପତ୍ତି ଆୟୋଗଙ୍କ ଚୂଡ଼ାନ୍ତ ସୁପାରିଶ ଏବଂ ତା’ପରେ ସରକାରଙ୍କ ମଞ୍ଜୁରୀ ଆଧାରରେ ହେବ।

ସେହିପରି ଫିଟ୍ମେଣ୍ଟ ଫ୍ୟାକ୍ଟର (Fitment Factor) କୁ ନେଇ ମଧ୍ୟ ଭିନ୍ନ ଭିନ୍ନ କର୍ମଚାରୀ ସଂଗଠନ ନିଜର ଦାବି ରଖିଛନ୍ତି। NC-JCM ଷ୍ଟାଫ ସାଇଡ ପୂର୍ୱରୁ ୩.୮୩ ଫିଟମେଣ୍ଟ ଫ୍ୟାକ୍ଟର ଏବଂ ୬୯,୦୦୦ ଟଙ୍କା ସର୍ୱନିମ୍ନ ମୂଳ ଦରମା (Basic Pay) ଭଳି ଦାବି ରଖିଛି, କିନ୍ତୁ ଏଗୁଡ଼ିକ କେବଳ ଦାବି, ସରକାରଙ୍କ ତରଫରୁ କୌଣସି ଚୂଡ଼ାନ୍ତ ଆକଳନ ସ୍ଥିର ହୋଇନାହିଁ।

Share