ପାର୍ବଣରେ ବନ୍ଧା ହେଲେଣି ୮୮୨ ଜୁଆଡି

ଛତ୍ରପୁର,୧୦ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପୂଜା ପାର୍ବଣ ଋତୁ ଆସିଲେ ଜୁଆଖେଳ ଆସର ଜମିଥାଏ। ଦଶହରା ପୂର୍ବରୁ ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ଓ କାଜୀପୂଜା ପର୍ଯ୍ୟନ୍ତ ଏହି ଖେଳ ଜିଲାର ବିଭିନ୍ନ ସ୍ଥାନରେ ଚାଲିଥାଏ । ଉଭୟ ପୁରୁଷ, ମହିଳା, ଯୁବକ ଜୁଆ ଖେଳିଥାନ୍ତି। ପୂର୍ବରୁ ଏହା ପରିବାର ମଧ୍ୟରେ ଘରେ ହେଉଥିଲା। ସମୟକ୍ରମେ ବିଭିନ୍ନ କ୍ଲବ, ପୂଜାମଣ୍ଡପ ପଛପଟ, ଗାଁ ବିଲ ଆଦିରେ ବ୍ୟାପକ ଭାବେ ଏହି ଖେଳ ହେବାରେ ଲାଗିଛି।

ପୂଜା ପରିପ୍ରେକ୍ଷୀରେ ଜିଲାରେ ଜୁଆଖେଳ ଉପରେ ଅଙ୍କୁଶ ଲଗାଇବା ଲାଗି ପୋଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍‌ ଚଳିତ ୧ ତାରିଖରୁ ଉଭୟ ଗଞ୍ଜାମ ଓ ବ୍ରହ୍ମପୁର ସହରରେ ଚାଲିଛି। ବିଭିନ୍ନ ସ୍ଥାନରେ ହେଉଥିବା ଜୁଆଖେଳ ଉପରେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ପୋଲିସ ଜିଲା ଅଧୀନ ବିଭିନ୍ନ ଥାନା ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଳିତ ମାସ ୧ରୁ ୯ ତାରିଖ ମଧ୍ୟରେ ଜୁଆଖେଳରେ ସମ୍ପୃକ୍ତ ୮୮୨ ଜୁଆଡିଙ୍କୁ ଗିରଫ କରାଯାଇଛି। ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ସୋମବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ୯ ଦିନ ମଧ୍ୟରେ ୧୬୨ ଜୁଆଆଡ୍ଡା ଉପରେ ଚଢ଼ାଉ କରାଯାଇଥିଲା। ସେଥିରୁ ୨୭ ଲକ୍ଷ ୨୯ ହଜାର ୨୪୦ ଟଙ୍କା ଜବତ ମଧ୍ୟ କରାଯାଇଛି ା