ସ୍ପଷ୍ଟ ଦିବାଲୋକରେ ଘରେ ପଶି ନଗଦ ୮୦ ହଜାର ଟଙ୍କା ସହ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ପାଟଣା,୧୨ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମର ନେତ୍ରାନନ୍ଦ ମହାନ୍ତଙ୍କ ଘରେ କେହି ନ ଥିବା ବେଳେ ଦୁର୍ବୃତ୍ତମାନେ ଗେଟ୍‌ ଭାଙ୍ଗି ଘରେ ପଶି ଗଡରେଜରୁ ନଗଦ ୮୦ ହଜାର ଟଙ୍କା ସହ ସୁନା ଅଳଙ୍କାର ଲୁଟିନେଇଛନ୍ତି।

ସୂଚନାନୁଯାୟୀ, ଗୁରୁବାର ପୂର୍ବାହ୍ନରେ ନେତ୍ରାନନ୍ଦଙ୍କ ଘରେ ତାଙ୍କ ସ୍ତ୍ରୀ ବିମଳା ମହାନ୍ତ ଘରର ମୁଖ୍ୟ ଗେଟ୍‌ରେ ତାଲା ପକାଇ ଘର ପଛ ପାର୍ଶ୍ୱ ବିଲକୁ ଯାଇଥିବା ଦୁର୍ବୃତ୍ତ ଘରର ଚାବି ଭାଙ୍ଗିବା ପରେ ଘରେ ପଶି ଆଲମୀରା ଲକର ଭାଙ୍ଗି ନଗଦ ୮୦ ହଜାର ଟଙ୍କା, ଗୋଟିଏ ସୁନା ଚେନ୍‌,୨ ହଳ କାନ ଫୁଲ, ୨ ମୁଦି ଓ ରୁପା ପାଉଁଜି ହଳେ ଚୋରି କରି ନେଇଥିବା ବିମଳା ସୂଚନା ଦେଇଛନ୍ତି। ଅଭିଯୋଗ ପରେ ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ଅଞ୍ଚଳରେ ଛାନ୍‌ଭିନ୍‌ ଜାରି ରଖିଛି।

ସୂଚନାଯୋଗ୍ୟ, ଗତ ୩ ତାରିଖ ପୂର୍ବାହ୍ନ ତହସିଲ ସମ୍ମୁଖରୁ ଡିକି ତାଡ଼ି ୪ ଲକ୍ଷ ଟଙ୍କା ଲୁଟ୍‌ ପରେ ପାଟଣା ଥାନା ଅଞ୍ଚଳରେ ଲୁଟେରା ସକ୍ରିୟ ହୋଇ ଗୋଟିଏ ପରେ ଗୋଟିଏ ଚୋରି କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚାଲିଛନ୍ତି। ମାତ୍ର ପୋଲିସ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇପାରିନାହିଁ।