କାମରେ ଲାଗୁନି ୮ ଗୋଷ୍ଠୀ ଶୌଚାଳୟ

ଚମ୍ପୁଆ,୨୮ା୫(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଚମ୍ପୁଆ ବିଜ୍ଞାପିତ ଅଞ୍ଚଳରେ ଅନେକ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ୱାର୍ଡରେ ନିର୍ମାଣ କରାଯାଇଥିବା ଗୋଷ୍ଠୀ ଶୌଚାଳୟ କାମରେ ଲାଗୁନହିଁ। ଅନେକ ଶୌଚାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ଆଗରେ ଗଛଲତା ଉଠିଗଲାଣି। ଆବଶ୍ୟକ ଭିତ୍ତିଭୂମିକୁ ଦୃଷ୍ଟି ନ ଦେବାରୁ ଏଭଳି ପରିସ୍ଥିତି ଉପୁଜୁଛି ବୋଲି ୱାର୍ଡବାସୀ ଅଭିଯୋଗ କରିଛନ୍ତି।
ଯେ, ଆର୍ଥତ୍କ ବର୍ଷ ୨୦୧୮-୧୯ରେ ଏନ୍‌ଏସି ପକ୍ଷରୁ ସ୍ବଚ୍ଛ ଭାରତ ତଥା ବାହ୍ୟ ମଳତ୍ୟାଗକୁ ନିଷିଦ୍ଧ କରିବା ନିମନ୍ତେ ୧୩ ଓ୍ବାର୍ଡରୁ ୮ଟିରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ହୋଇଥିଲା। ପ୍ରତି ଶୌଚାଳୟ ନିମନ୍ତେ ୧ ଲକ୍ଷ ୭୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇଥିଲା। ମାତ୍ର ଅନେକ ସ୍ଥାନରେ ପାଣି ଓ ବିଦ୍ୟୁତ୍‌ ବ୍ୟବସ୍ଥା ନ ଥିବାରୁ ନିର୍ମାଣ ପରେ ୱାର୍ଡବାସୀଙ୍କ କାମରେ ଲାଗିପାରିନାହିଁ। ନିର୍ମାଣର ୪ ବର୍ଷ ବିତିଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ ଏହା ପ୍ରତି ଦୃଷ୍ଟି ଦିଆଯାଇ ନ ଥିବାରୁ ଅନେକ ଲକ୍ଷ ଟଙ୍କା ପାଣିରେ ପଡ଼ିଲା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏ ନେଇ ଏନ୍‌ଏସି ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ କହିଛନ୍ତି, ମୌଳିକ ଅସୁବିଧା ପାଇଁ ଉକ୍ତ ଗୋଷ୍ଠୀ ଶୌଚାଳୟଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରି ନ ଥିଲା। ଆସନ୍ତା ୧୫ ଦିନ ମଧ୍ୟରେ ଶୌଚାଳୟଗୁଡ଼ିକର ଆବଶ୍ୟକ ଭିତ୍ତିଭୂମିରେ ବିକାଶ କରାଯାଇ କାର୍ଯ୍ୟକ୍ଷମ କରାଯିବ ବୋଲି ସେ କହିଥିଲେ।