ପଶିରେ ୮ ହାତୀ: କଦଳୀ ଖାଇ ଉଜାଡ଼ିଲେ ଫସଲ

ବୁଗୁଡ଼ା,୧୫ା୧(ଡି.ଏନ୍‌.ଏ.): ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ନୂଆ ଦଦରାଖୋଲ ଓ ମହୁଲପଲ୍ଲୀ ଗଁାରେ ଶନିବାର ରାତିରେ ୮ ଟିକିଆ ହାତୀପଲ ପଶି ବ୍ୟାପକ ଫସଲ କ୍ଷତି ଘଟାଇଥିବା ଜଣାପଡ଼ିଛି। ଶନିବାର ବିଳମ୍ବିତ ରାତିରେ ନୂଆ ଦଦରାଖୋଲ ଗ୍ରାମର ନାରାୟଣ ପ୍ରଧାନଙ୍କ ଫସଲ କିଆରିରେ ହାତୀପଲ ପଶି କୋବି, ବାଇଗଣ ଓ କଦଳୀ ଖାଇବା ସହ ଦଳିଚକଟି ନଷ୍ଟ କରିଛନ୍ତି।

ସେହିପରି ମହୁଲପଲ୍ଲୀ ଗଁାର ତ୍ରିନାଥ ପ୍ରଧାନଙ୍କ କିଆରିରେ ପଶି ଆଖୁ, ଟମାଟୋ, କଦଳୀ ଓ ବାଇଗଣ ଆଦି ଖାଇବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଏନେଇ ଚାଷୀ ବନ ବିଭାଗରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କର୍ମଚାରୀ ପହଞ୍ଚତ୍ ନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ରବିବାର ସନ୍ଧ୍ୟାରେ ମାଣିତରା, ସାପୁଆପଲ୍ଲୀ ଓ ଢିମିରିସାହି ଆଦି ଗ୍ରାମ ନିକଟସ୍ଥ କଦଳୀ ବଗିଚା ସହ ବିଭିନ୍ନ କିଆରିରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ତେବେ ୭ ଦିନ ହେଲା ବୁଗୁଡ଼ା ବନାଞ୍ଚଳର ବିଭିନ୍ନ ଗ୍ରାମରେ ହାତୀପଲ ଉପଦ୍ରବ ଯୋଗୁ ବ୍ୟାପକ ଫସଲ ହାନି ଘଟୁଥିଲେ ହେଁ ସ୍ଥାନୀୟ ବନ ବିଭାଗ ପକ୍ଷରୁ ରାତି ପାଟ୍ରୋଲିଂ କରାଯାଉ ନ ଥିବା ଅଭିଯୋଗ ହେଉଛି। ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।