ନିଶା ବେପାରୀଙ୍କ ଘରେ ସାଢ଼େ ୮ କେଜି ସୁନା

ଖଲ୍ଲିକୋଟ(ଡି.ଏନ୍‌.ଏ.)/ବ୍ରହ୍ମପୁର ଅଫିସ,୨୩।୧୦: ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ପୋଲିସ ଖୋଜାପଲି ବଡ଼ଦାଣ୍ଡସାହିର ଜଣେ ନିଶା ବେପାରୀଙ୍କ ଘରେ ଗୁରୁବାର ରାତିରେ ଚଢ଼ାଉ କରିଥିଲା। ସେଠାରୁ ୩୪ କେଜି ୯୪ ଗ୍ରାମ୍‌ ଗଞ୍ଜେଇ, ୧୦ କେଜି ୧୦ ଗ୍ରାମ୍‌ ଅଫିମ ସହ ୮ କେଜି ୫୯୬ ଗ୍ରାମ୍‌ ସୁନାଗହଣା ଓ ୭୫ ଲକ୍ଷ ୯ ହଜାର ଟଙ୍କା ଜବତ କରାଯାଇଛି। ନିଶା ବ୍ୟବସାୟୀ ରଜନୀକାନ୍ତ ପଟ୍ଟନାୟକଙ୍କୁ ଶୁକ୍ରବାର ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଏ ନେଇ ନଂ.୬୪୫/୨୧ରେ ଏକ ମାମଲା ରୁଜୁ କରାଯାଇଥିବା ଖଲ୍ଲିକୋଟ ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ସୂଚନା ଦେଇଛନ୍ତି।
ଖଲ୍ଲିକୋଟ ଅଞ୍ଚଳରେ ବ୍ୟାପକ ଗଞ୍ଜେଇ, ଚୋରାମଦ କାରବାର ଚାଲିଛି। ପୋଲିସ ଆଖିରେ ଧୂଳିଦେଇ ମାଫିଆମାନେ ଏହି ବେଆଇନ କାରବାରରେ ଲିପ୍ତ ରହୁଛନ୍ତି। ନିଶା ବ୍ୟବସାୟୀ ରଜନୀକାନ୍ତ କନ୍ଧମାଳ ଜିଲାରୁ ଗଞ୍ଜେଇ ଓ ଅଫିମ ଆଣି ଘରେ ରଖି ବିଭିନ୍ନ ସ୍ଥାନକୁ ଚୋରାଚାଲାଣ କରୁଥିଲେ। ସେ ମଧ୍ୟ ଗାଁ ଗହଳିର ଲୋକଙ୍କ ସୁନାଗହଣା ବନ୍ଧକ ରଖି ସୁଧକୁ ଟଙ୍କା ଦେଉଥିଲେ। ଗୁରୁବାର ରାତିରେ ଏକ ସ୍କୁଟିରେ ରାଜନୀକାନ୍ତ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଭେଜିପୁଟ ଫାଣ୍ଡି ଓଆଇସି ମନୋଜ କୁମାର ପ୍ରଧାନଙ୍କ ହାବୁଡ଼ରେ ପଡ଼ିଥିଲେ। ତାଙ୍କୁ ଫାଣ୍ଡିକୁ ଆଣି ପଚରାଉଚରା କରାଯାଇଥିଲା। ଖଲ୍ଲିକୋଟ ଆଇଆଇସି ଜଗନ୍ନାଥ ମଲିକ, ଭେଜିପୁଟ ଓଆଇସି ମନୋଜ କୁମାର ପ୍ରଧାନ ପୋଲିସ ଟିମ୍‌ ସହ ରଜନୀକାନ୍ତଙ୍କ ଘରେ ଚଢ଼ାଉ କରିଥିଲେ। ଟଙ୍କା, ସୁନା ଓ ନିଶାଦ୍ରବ୍ୟ ଜବତ ବେଳେ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ଜ୍ୟୋତିର୍ମୟ ଦାସ ଉପସ୍ଥିତ ଥିଲେ। ରଜନୀକାନ୍ତଙ୍କ କେତୋଟି ବ୍ୟାଙ୍କ ଆକାଉଣ୍ଟ ଓ ସେଥିରେ କେତେ ଟଙ୍କା ରହିଛି ପୋଲିସ ତାହାର ମଧ୍ୟ ଖୋଳତାଡ଼ କରୁଛି। ବ୍ୟାଙ୍କ ଆକାଉଣ୍ଟ ସିଜ୍‌ କରିବା
ନିଶା ବେପାରୀଙ୍କ ଘରେ …
ପାଇଁ ପଦକ୍ଷେପ ନିଆଯିବ ବୋଲି ଏସ୍‌ପି ରଏ କହିଛନ୍ତି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ, ଖଲ୍ଲିକୋଟ ଆଇଆଇସି, ଭେଜିପୁଟ ଓଆଇସି, ଅତିରିକ୍ତ ତହସିଲଦାର ଏବଂ ଅବକାରୀ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।