ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ୮.୩୮ଲକ୍ଷ ଲୁଟ୍‌

ରାଉରକେଲା ଅଫିସ୍‌,୧୫।୩: ରାଉରକେଲା ସହରର ସେକ୍ଟର-୧୯ ଥାନା ନିକଟରୁ ଦିନଦ୍ୱିପ୍ରହରରେ ୨ଜଣ ଦୁର୍ବୃତ୍ତ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ୮ଲକ୍ଷ ୩୮ହଜାର ୫୦୦ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସହରର ସେକ୍ଟର-୫ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଧନରାଜ ପେଟ୍ରୋଲ ପମ୍ପର ଜୁନିୟର ମ୍ୟାନେଜର ସୁଶାନ୍ତ କୁମାର ପରିଡା ବ୍ୟାଗ୍‌ରେ ଏହି ଟଙ୍କା ଧରି ସୋମବାର ଅପରାହ୍ନ ପ୍ରାୟ ଅଢେଇଟାରେ ସେକ୍ଟର ୧୯ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଜମା କରିବାକୁ ଯାଉଥିଲେ। ଏହି ସମୟରେ ୨ଜଣ ଦୁର୍ବୃତ୍ତ ଏକ କଳାରଙ୍ଗର ପଲ୍‌ସର ବାଇକ୍‌ରେ ଆସି ସୁଶାନ୍ତ ଯାଉଥିବା ବାଇକ୍‌କୁ ଧକ୍କା ମାରିଥିଲେ। ସୁଶାନ୍ତ ପଡ଼ିଯିବାରୁ ଦୁର୍ବୃତ୍ତ ତାଙ୍କଠାରୁ ଟଙ୍କା ବ୍ୟାଗ ଛଡାଇ ଫେରାର ହୋଇଯାଇଥିଲେ। ଏସମ୍ପର୍କରେ ସେକ୍ଟର ୧୯ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ଲୁଟ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଲୁଟେରାମାନଙ୍କୁ ଧରିବା ପାଇଁ ତନାଘନା ଉଦ୍ୟମ ଚଳାଇଛି।