ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୧୨ଦିନରେ ପହଞ୍ଚିଛି । ତେବେ ଧାନ ବିକ୍ରି ପାଇଁ ଆବେଦନ କରିଥିବା ବରଗଡ଼ ଜିଲାର ୭୦୧୫ ଚାଷୀଙ୍କ ଧାନ ବିକ୍ରି ଟୋକନକୁ BLOCKED କରି ଦିଆଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି। ଚାଷୀ ସଂଗଠନ ଜୟ କିସାନ ଆନ୍ଦୋଳନ ଶନିବାର ବରଗଡ଼ ସମତା ଭବନରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛି। ୭ଦିନ ମଧ୍ୟରେ ଏହାର ସମାଧାନ ନ ହେଲେ ସ୍ଥାନୀୟ ବିଧାୟକ ଓ ଏମ୍ପିଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହିତ ଜବାବ ମଗାଯିବ ବୋଲି ଜୟ କିସାନ ଆନ୍ଦୋଳନ ଚେତାବନୀ ଦେଇଛି। ଖବରଦାତା ସମ୍ମିଳନୀରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜଙ୍କ ସମେତ ଜୟ କିସାନ ଆନ୍ଦୋଳନର ସଭାପତି ସୁଶିଲ କୁମାର ସାହୁ, ସମ୍ପାଦକ ହର ବଣିଆ ଏବଂ ପ୍ରଭାବିତ ଚାଷୀମାନେ ଉପସ୍ଥିତ ଥିଲେ ।