Categories: ବାଣିଜ୍ୟ

ଭାରତକୁ ୭୦ ହଜାର କୋଟିର ଟିକସ କ୍ଷତି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କର୍ପୋରେଟ ଟିକସର ଦୁରୁପଯୋଗ ଏବଂ ବେସରକାରୀ ଟିକସ ଫାଙ୍କି ଯୋଗୁ ସାରା ବିଶ୍ୱର ଦେଶ ସମୂହ ୪୨୭ ବିଲିୟନ ଡଲାରର ଟିକସ ଲାଭ କରିବାରୁ ବଞ୍ଚିତ ହେଉଛନ୍ତି। ଏହି କ୍ଷେତ୍ରରେ ଭାରତ ୭୦ ହଜାର କୋଟି ଟଙ୍କା ଟିକସ କ୍ଷତି ସହୁଥିବା ଜଣାପଡିଛି। ଅନ୍ତର୍ଜାତୀୟ ଗବେଷଣା ସଂସ୍ଥା ଟାକ୍ସ ଜଷ୍ଟିସ ନେଟ୍‌ଓ୍ବର୍କ(ଟିଏନ୍‌ଜେଡ୍‌) ପକ୍ଷରୁ ଏଭଳି ଏକ ରିପୋର୍ଟ ଶୁକ୍ରବାର ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ ବହୁଦେଶୀୟ କମ୍ପାନୀ(ଏମ୍‌ଏନ୍‌ସି)ଗୁଡିକ କର୍ପୋରେଟ ଟିକସର ଦୁରୁପଯୋଗ କରୁଥିବାରୁ ୨୪୫ ବିଲିୟନ ଡଲାର ଏବଂ ବେସରକାରୀ ଟିକସ ଚୋରି ବାବଦ ୧୮୨ ବିଲିୟନ ଡଲାର ମୂଲ୍ୟର ଟିକସ ଦେଶଗୁଡିକୁ ମିଳିପାରୁନାହିଁ। କମ୍ପାନୀଗୁଡିକ କାମ କରୁଥିବା ଦେଶଗୁଡିକରୁ ଅର୍ଥ ଉପାର୍ଜନ କରୁଥିବା ବେଳେ ସେଠାରେ ଯେତେ ପରିମାଣର ଟିକସ ଦେବା କଥା ନ ଦେଇ ବିଭିନ୍ନ ଆଳରେ ଏହାକୁ ଅନ୍ୟତ୍ର ପ୍ରେରଣ କରୁଛନ୍ତି। ଏଭଳି ଭାବେ ୧.୩୮ ଲକ୍ଷ କୋଟି ଡଲାରରୁ ଊର୍ଦ୍ଧ୍ୱ ଅର୍ଥ ପ୍ରେରଣ ହୋଇଛି। ଯେଉଁ ଦେଶଗୁଡିକରେ କର୍ପୋରେଟ ଟିକସ ନିମ୍ନ କିମ୍ବା ଗୌଣ ସେହି ଦେଶଗୁଡିକରୁ କମ୍ପାନୀଗୁଡ଼ିକ ଅଧିକ ଅର୍ଥ ଅନ୍ୟତ୍ର ପଠାଇ ଦେଉଛନ୍ତି।

Share