ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା ଘଟିଯାଇଛି। ନିଜ ରକ୍ତର ସମ୍ପର୍କ ଯେତେବେଳେ ଭକ୍ଷକ ସାଜେ, ସେତେବେଳେ ସମାଜ ଓ ନୈତିକତା ଉପରୁ ବିଶ୍ୱାସ ଉଠିଯାଏ। ଏମିତି ଏକ କଳଙ୍କିତ ଅଧ୍ୟାୟ ରଚନା କରିଛନ୍ତି ଜଣେ ବ୍ୟକ୍ତି। ଯିଏ ନିଜର ୭ ବର୍ଷର ନିରୀହ ଝିଆରୀ ପ୍ରତି ଆଚରଣ କରିଛନ୍ତି ଅମାନୁଷିକ ଅସଦାଚରଣ ଓ ଯୌନ ନିର୍ଯାତନା।
ଗୁରୁବାର ଶିଶୁକନ୍ୟାଟି ଘର ପରିସରରେ ଖେଳୁଥିଲେ। ଏହାର ସୁଯୋଗ ନେଇ ନିଜ ବଡ଼ବାପା ଏଭଳି ପାଶବିକ ବ୍ୟବହାର କରିଥିଲେ। ଫଳରେ ଝିଅଟି ଆତଙ୍କିତ ହୋଇପଡ଼ିଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ଶିଶୁର ପରିବାର ଲୋକେ ସ୍ତବ୍ଧ ହୋଇଯାଇ ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହୋଇଥିଲେ।
ପରିବାର ପକ୍ଷରୁ ତନ୍ତିଆପାଳ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ପ୍ରଶାସନ ତୁରନ୍ତ ତତ୍ପରତା ପ୍ରକାଶ କରିଥିଲା। ପୋଲିସ ଅଭିଯୁକ୍ତ ବଡ଼ବାପାଙ୍କୁ ଗିରଫ କରିଥିବାବେଳେ ଶୁକ୍ରବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅପରପକ୍ଷରେ ଶିଶୁଟିର ଶାରୀରିକ ଓ ମାନସିକ ସ୍ଥିତିକୁ ପରଖିବା ପାଇଁ ଡାକ୍ତରୀ ପରୀକ୍ଷା କରାଯାଇଛି। ଡାକ୍ତରୀ ରିପୋର୍ଟ ଓ ପ୍ରାଥମିକ ତଥ୍ୟକୁ ଆଧାର କରି ପୋଲିସ ପୋକ୍ସୋ ଆକ୍ଟର ଧାରା ୬ ଅଧୀନରେ କେସ୍ ନଂ ୧୪୦/୨୬ରେ ଏକ ମାମଲା ରୁଜୁ କରିଛି।
ତଦନ୍ତ ପ୍ରକ୍ରିୟାକୁ ଆହୁରି ମଜଭୁତ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଶୁକ୍ରବାର ଏକ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଟିମ୍ ପ୍ରତ୍ୟକ୍ଷ ଭାବେ ସ୍ଥିତି ପରଖିବା ସହ ପ୍ରମାଣ ସଂଗ୍ରହ କରିଥିଲା। ଏହାସହ ପୋଲିସ ଶିଶୁଟିର ପ୍ରତ୍ୟକ୍ଷ ବୟାନ ରେକର୍ଡ କରିଛି, ଯେଉଁଥିରେ ସେ ଦିନର ପୂରା ଘଟଣାକ୍ରମ ବିଷୟରେ ଶିଶୁକନ୍ୟା ପୋଲିସକୁ ଗୋଟିଗୋଟି ସବୁ ଜଣାଇଛନ୍ତି। ତଦନ୍ତକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭାରତୀୟ ନ୍ୟାୟ ସଂହିତା ଧାରା ୧୮୩ ରେ ଶୀଘ୍ର ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଶିଶୁଟିର ବୟାନ ରେକର୍ଡ କରାଯିବ।
ଏହି ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଜଣେ ନିରୀହ ଶିଶୁ ପ୍ରତି ନିଜର ଆତ୍ମୀୟଙ୍କ ଏଭଳି ଜଘନ୍ୟ କାର୍ଯ୍ୟକୁ ସବୁ ସ୍ତରରେ ନିନ୍ଦା କରାଯାଉଛି ଏବଂ ପୀଡ଼ିତା ଶିଶୁକୁ ତୁରନ୍ତ ନ୍ୟାୟ ପ୍ରଦାନ ସହ ଅଭିଯୁକ୍ତଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

