ଜବଲପୁର,୨୨।୫: ମଧ୍ୟ ପ୍ରଦେଶର ଜବଲପୁରର ଡୁମନାରେ IIITDM କ୍ୟାମ୍ପସ ମଧ୍ୟରେ ଚାଲିଥିବା NCC ଶିବିରରେ ଆତଙ୍କ ସୃଷ୍ଟି ହୋଇଛି। ରାତ୍ରୀଭୋଜନ ପରେ ହଠାତ୍ ୫୦ରୁ ଅଧିକ କ୍ୟାଡେଟଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଛି। କ୍ୟାଡେଟମାନେ ବାନ୍ତି, ଝାଡ଼ା, ପେଟ ଯନ୍ତ୍ରଣା ଏବଂ ମୁଣ୍ଡ ବୁଲାଇବା ଅଭିଯୋଗ କରିଛନ୍ତି। ଏହାପରେ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୭ ଜଣ କ୍ୟାଡେଟଙ୍କୁ ଇଣ୍ଟେନସିଭ କେୟାର ୟୁନିଟ (ICU)ରେ ଭର୍ତ୍ତି କରାଯାଇଛି। ସମସ୍ତ କ୍ୟାଡେଟ ବର୍ତ୍ତମାନ ବିପଦମୁକ୍ତ ଥିବା ଜଣାପଡ଼ିଛି। ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ପ୍ରାଥମିକ ସୂଚନା ଅନୁଯାୟୀ, କ୍ୟାଡେଟମାନେ ରାତ୍ରୀଭୋଜନ ସମୟରେ ‘ପନିର’ ଖାଇଥିଲେ। ଏହାପରେ ସେମାନଙ୍କ ଅବସ୍ଥା ଖରାପ ହୋଇଥିଲା। ଅନୁମାନ କରାଯାଉଛି ଯେ, ଅତ୍ୟଧିକ ଗରମ, ଖାଦ୍ୟ ବିଷାକ୍ତକରଣ କିମ୍ବା ଭେଜାଲ ‘ପନିର’ ମୂଳ କାରଣ ହୋଇପାରେ। ଏହି ଘଟଣା ପୁଣି ଥରେ ବଜାରରେ ବିକ୍ରି ହେଉଥିବା ଭେଜାଲ ‘ପନିର’ ସମ୍ପର୍କରେ ଚିନ୍ତା ବଢ଼ାଇ ଦେଇଛି। ଭାରତରେ ପ୍ରାୟ ପ୍ରତ୍ୟେକ ଘରେ ‘ପନିର’ ଏକ ପ୍ରିୟ ଖାଦ୍ୟ, ଯାହାକୁ ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଉପଭୋଗ କରନ୍ତି। ଏହାକୁ ପ୍ରୋଟିନ ଏବଂ କ୍ୟାଲସିୟମର ଏକ ଉତ୍କୃଷ୍ଟ ଉତ୍ସ ଭାବରେ ବିବେଚନା କରାଯାଏ। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ବଜାରରେ ବର୍ତ୍ତମାନ ବହୁ ପରିମାଣରେ ନକଲି ‘ପନିର’ ବିକ୍ରି ହେଉଛି, ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ପ୍ରମାଣିତ ହୋଇପାରେ।