ଅଡଶପୁର ସ୍ବାସ୍ଥ୍ୟକେନ୍ଦ୍ରର ୭ଜଣ କର୍ମଚାରୀ କରୋନା ପଜିଟିଭ୍‌: ୪୫ ଘଣ୍ଟା ଗୋବିନ୍ଦପୁର ପଞ୍ଚାୟତ ଶଟ୍‌ଡାଉନ

କଣ୍ଟାପଡା,୮।୭(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡା ବ୍ଲକ ଅଡଶପୁର ସ୍ବାସ୍ଥ୍ୟକେନ୍ଦ୍ରର ୭ଜଣ କର୍ମଚାରୀ କରୋନା ସଂକ୍ରମିତ ହେବାପରେ ବ୍ଲକରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଅମାନିଆଙ୍କୁ ସାବାଡ କରିବାପାଇଁ ଗୋବିନ୍ଦପୁର ସରପଞ୍ଚ ଲଲାଟେନ୍ଦୁ ପ୍ରାସଦ ଦାସ ବୁଧବାର ସନ୍ଧ୍ୟାରୁ ଶୁକ୍ରବାର ଅପରାହ୍ନ ୩ଟା ପର୍ଯ୍ୟନ୍ତ ପଞ୍ଚାୟତର ୨୦ଟି ୱାର୍ଡକୁ ୪୫ ଘଣ୍ଟିଆ ଶଟଡାଉନ ଘୋଷଣା କରିଛନ୍ତି।
ପ୍ରକାଶଯେ, ଅଡଶପୁର ଡାକ୍ତରଖାନାର କର୍ମଚାରୀଙ୍କ ସଂସ୍ପର୍ଶରେ ଗୋବିନ୍ଦପୁର ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀମାନେ ଆସିଥିଲେ। ଗୋବିନ୍ଦପୁର ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କ ସ୍ବାବସଂଗ୍ରହ ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ଗୋବିନ୍ଦପୁର କ୍ୱାରାଣ୍ଟାଇନ କେନ୍ଦ୍ରରୁ ଜଣେ ପ୍ରବାସୀ କରୋନା ସଂକ୍ରମିତ ହୋଇ କଟକରେ ଚିିକିତ୍ସା ହେଉଛନ୍ତି।
ବୁଧବାର ୨ଜଣ ପ୍ରବାସୀ କ୍ୱାରାଣ୍ଟାଇନ କେନ୍ଦ୍ରରେ ଅସୁସ୍ଥ ହୋଇ ଛନ୍ତି। ପଞ୍ଚାୟତ ପକ୍ଷରୁ ସାମାଜିକ ଦୂରତ୍ୱ ରକ୍ଷା ସହିତ ମାସ୍କ ପିନ୍ଧିବାପାଇଁ ବାରମ୍ବାର ସଚେତନତା ସୃଷ୍ଟି କରାଯାଉଥିଲେ ମଧ୍ୟ ବହୁ ଅମାନିଆ ଏହାକୁ ମାନୁନାହାନ୍ତି। କୌଣସି କାମ ନ ଥାଇ ଅମାନିଆମାନେ ତରଡପଡା, ଗୋବିନ୍ଦପୁର, ଗୋପାଳପୁର ଓ ବାଲିପଡା ଛକବଜାରରେ ଖଟି କରୁଥିବାରୁ ସଂକ୍ରମଣର ଆଶଙ୍କା ସୃଷ୍ଟିହୋଇଛି। ଏପରି ସ୍ଥଳେ ପଞ୍ଚାୟତରେ ଥିବା ସମସ୍ତ ଦୋକାନ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ପଞ୍ଚାୟତ ପକ୍ଷରୁ ନୋଟିସ ଜାରି କରାଯାଇଛି।