ବଲାଙ୍ଗୀର, ଖପ୍ରାଖୋଲ ୧୯।୧୨(ସୁନିଲ ମହାନ୍ତି/ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି । ଏକ ବିଦ୍ୟୁତ୍ ତାର ଚୋରି ଗ୍ୟାଙ୍ଗକୁ ଗିରଫ କରିବାରେ ସକ୍ଷମ ହେବା ସହିତ ଲକ୍ଷାଧିକ ଟଙ୍କାର ଆଲୁମିନିୟମ ବାସନ ସାମଗ୍ରୀ ଜବତ କରିଥିବା ଜଣାଯାଇଛି। ଏନେଇ ଖପ୍ରାଖୋଲ ପୋଲିସ ଗଣମାଧ୍ୟମକୁ ଜବତ ସାମଗ୍ରୀ ଦେଖାଇବା ସହିତ ସୂଚନା ଦେଇଛି। ଗିରଫ ଅଭିଯୁକ୍ତ ମାନେହେଲେ କଣ୍ଟାବାଞ୍ଜି ଥାନା ଅଂଚଳର ଅଶୋକ ମଲ୍ଲିକ(୩୧), ନୃପ ବଗର୍ତ୍ତି(୨୫), ପ୍ରଶାନ୍ତ ବଗର୍ତ୍ତି (୨୭), ଭରତ କୁମ୍ଭାର(୨୪), ମୁକେଶ ନାଏକ(୨୬), ସଞ୍ଜୟ ତାଣ୍ଡି(୨୬)। ଏହା ସହ ଚୋରା ଆଲୁମିନିୟମ ବିଦ୍ୟୁତ୍ ତାର କିଣିବା ଅଭିଯୋଗରେ କଣ୍ଟାବାଞ୍ଜି ଆମପଡାର ବାସନ ଫ୍ୟାକ୍ଟ୍ରି ମାଲିକ ପ୍ରକାଶ ବେହେରା (୨୮)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।
ସୂଚନାଅନୁସାରେ ୪ ଦିନ ତଳେ ଖପ୍ରାଖୋଲ ଥାନା ବେଲପଡ଼ା ବ୍ଳକ ମାଟିଖାଇ ଗାଁ ନିକଟରେ ଆଲୁମିନିୟମ ବିଦ୍ୟୁତ୍ ତାର ଚୋରି ହୋଇଥିବା ନେଇ ବିଦ୍ୟୁତ୍ ବିଭାଗ ଖପ୍ରାଖୋଲ ଥାନାରେ ଅଭିଯୋଗ କରିଥିଲା। ଅଭିଯୋଗକୁ ଭିତ୍ତି କରି ପାଟଣାଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ସଦାନନ୍ଦ ପୁଝାରୀଙ୍କ ନିର୍ଦ୍ଦେଶରେ ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତରଙ୍କ ନେତୃତ୍ୱରେ ଏକ ଦଳ ଗଠନ କରି ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ସମୟରେ ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରି ପୋଲିସ ଚୋରମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଚୋରିରେ ବ୍ୟବହୃତ ଏକ ଟାଟା ଏସି ଚାରିଚକିଆ ଗାଡ଼ି, ୩ ଦାମୀ ମୋଟର ସାଇକେଲ, ୮ ଟି ମୋବାଇଲ ଫୋନ, ନଗଦ ୧୫, ୮୯୦ ଟଙ୍କା ଜବତ ହୋଇଥିବା ବେଳେ, ଦୁଇ ବଣ୍ଡଲ ଆଲୁମିନିୟମ ବିଦ୍ୟୁତ୍ ତାର, ବିଭିନ୍ନ ଚୋରି ସାମଗ୍ରୀ ଜବତ କରିଥିବା ଜଣାଯାଇଛି। ସେହିପରି ଚୋରି ସାମଗ୍ରୀ କିଣିବା ଅଭିଯୋଗରେ ମଧ୍ୟ ଜଣକୁ ଗିରଫ କରିବା ସହିତ ଏକ ବାସନ କାରଖାନାରେ ଚଢାଉ କରି ଲକ୍ଷାଧିକ ଟଙ୍କାର ଗଞ୍ଜ, ଦେକଚି, କଡ଼େଇ, ହଣ୍ଡା ଆଦି ଆଲୁମିନିୟମ ବାସନ ସାମଗ୍ରୀ ଜବତ କରିଥିବା ଜଣାଯାଇଛି। ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୨୭୭/୨୫ରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା କରି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର ଗଣମାଧ୍ୟମକୁ ସୁଚନା ଦେଇଛନ୍ତି। ଏହି ଅବସରରେ ଥାନା ଏସଆଇ ଲିଙ୍ଗରାଜ କିସାନ, ତଦନ୍ତ କରି ଅଧିକାରୀ ନାରାୟଣ ସାହୁ, ଏଏସଆଇ ନବୀନ ଭୋଇ, ରବୀନ୍ଦ୍ର କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ।


