Categories: ଫୁରସତ

ଖରାପ ସମୟର ସାମ୍ନା କରୁଛନ୍ତି କି? ଆପଣାନ୍ତୁ ଏହି ଉପାୟ, ଦୂରେଇ ଯିବ ଦୁଃଖଦୁର୍ଦ୍ଦଶା

ଜୀବନରେ ବେଳେବେଳେ ଖରାପ ସମୟର ସାମ୍ନା କରିବାକୁ ପଡ଼ିଥାଏ। ପାରିବାରିକ ସମ୍ପର୍କ ଠାରୁ ଆରମ୍ଭ କରି ବେପାର ବଣିଜ, ଚାକିରି, କ୍ୟାରିଅର ଆଦିରେ କାହାର ନା କାହାର ଖରାପ ନଜର ପଡ଼ିଯାଇଥାଏ। ଫଳରେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଶେଷରେ ମାନସିକ ଭାରସାମ୍ୟ ହରାଇବାକୁ ପଡ଼ିଥାଏ। ଖରାପ ସମୟ ପଡ଼ିଲେ ଜୀବନ ଦୁର୍ବିସହ ହୋଇପଡ଼େ। କୋଟିପତିକୁ ଭିକାରି ବି କରିଦିଏ। ଏମିତି ଅନେକ ନଜିର ମଧ୍ୟ ରହିଛି। ଯଦି ଏମିତି କିଛି ହେଉଥାଏ ତା’ ହେଲେ ଏଥିରୁ ମୁକୁଳିବା ପାଇଁ ଆପଣାନ୍ତୁ ଏହି ଉପାୟ। ଦୂରେଇ ଯିବ ଦୁଃଖଦୁର୍ଦ୍ଦଶା

ଘର ଉପରେ ପଡ଼ିଥାଏ ଖରାପ ନଜର : ଘର ଭିତରକୁ ପଶିଲେ ଯେମିତି ଭାରି ଭାରି ଲାଗିଥାଏ। ଚିଡ଼ିଚିଡ଼ି ଲାଗେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗୁଥାଏ। ଏମିତି ହେଉଥିଲେ ଜାଣିବେ ଆପଣଙ୍କ ଘର ଉପରେ କାହାର ଖରାପ ନଜର ପଡ଼ିଛି। ଏଥରୁ ମୁକ୍ତି ପାଇବା ପାଇଁ ଏକ ନଡ଼ିଆକୁ କଳା କପଡ଼ାରେ ଗୁଡ଼ାଇ ଘର ବାହାରେ ଟାଙ୍ଗି ଦିଅନ୍ତୁ। ଦେଖିବେ ଧୀରେ ଧୀରେ ଘର ଉପରୁ ଖରାପ ନଜର ହଟିଯିବ।

ବ୍ୟବସାୟରେ ହୋଇଥାଏ କ୍ଷତି : ଖୁବ୍‌ ଭଲ ଭାବେ ଚାଲିଥିବା ବେପାରରେ ହଠାତ୍‌ କ୍ଷତି ଘଟିଥାଏ। ଏମିତି ହେଉଥିବା ଜାଣିଲେ ତୁରନ୍ତ ଦୋକାନର କୌଣସି ଏକ କୋଣରେ କଞ୍ଚାଲଙ୍କା ସହିତ ଲେମ୍ବୁ ଟାଙ୍ଗି ଦିଅନ୍ତୁ। କେବଳ ଖରାପ ନଜର ନୁହେଁ ଏମିତି କଲେ ବାସ୍ତୁଦୋଷ ମଧ୍ୟ କଟିଯାଇଥାଏ। କିନ୍ତୁ ଗୋଟିଏ କଥା ମନେ ରଖିବେ ଏହି ପ୍ରତିକାର କେବଳ ମଙ୍ଗଳବାର କିମ୍ବା ଶନିବାର କରିବେ। ଲେମ୍ବୁ ଲଙ୍କା ଶୁଖିଗଲେ ଏହାକୁ ଶୀଘ୍ର ବଦଳାଇ ଦିଅନ୍ତୁ।

ପିଲାଙ୍କ ଉପରେ ପଡ଼ିଥାଏ ନଜର : ପିଲା ଯଦି ସୁସ୍ଥ ସବଳ ହୋଇଥାଏ କାହାର ନା କାହାର ଖରାପ ନଜର ତା’ ଉପରେ ପଡ଼ିଥାଏ। ପିଲାଟି କାନ୍ଦୁଥିଲେ କିମ୍ବା କ୍ଷୀର ପିଉ ନ ଥିଲେ ତୁରନ୍ତ କ୍ଷୀରକୁ ତା’ ଦେହରେ ୩ ଥର ଢାଳି ସେହି କ୍ଷୀରକୁ ନେଇ କୁକୁରକୁ ପିଇବାକୁ ଦିଅନ୍ତୁ। ନଜର ଚାଲିଯିବ।

ଚାକିରି କରୁଥିବା ବ୍ୟକ୍ତିଙ୍କ ଉପରେ ପଡ଼ିଥାଏ ନଜର : ରୋଜଗାର କରୁଥିବା ବ୍ୟକ୍ତିବିଶେଷ ଉପରେ କାହାର ଖରାପ ନଜର ପଡ଼ିଲେ ଦେହ ଅସୁସ୍ଥ ଲାଗିଥାଏ। ଏମିତି ଅନୁଭବ ହେଲେ ଫିଟିକିରିକୁ ପାଦଠୁ ମୁଣ୍ଡଯାଏ ୫ରୁ ୭ଥର ଛୁଆଁଇ ଦିଅନ୍ତୁ। ଏହି ଫିଟିକିରିକୁ ନେଇ ଗୋବର କିମ୍ବା କାଗଜ ଉପରେ ରଖି ଜଳାଇ ଦିଅନ୍ତୁ। ଫିଟିକିରି ଜଳିଗଲେ ଖରାପ ନଜର ଦୂରେଇ ଯିବ। ଫିଟିକିରି ବଦଳରେ ଶୁଖିଲା ଲଙ୍କାକୁ ଦେହରେ ଛୁଆଁଇ ମଧ୍ୟ ଜଳାଇ ପାରିବେ। ଏପରି କଲେ ଭଲ ସମୟ ଆସିଥାଏ।

Share