ଘୁମୁସର ଉତ୍ତର ବନଖଣ୍ଡରେ ୬୪ ହାତୀ

ଭଞ୍ଜନଗର,୨୫।୯(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଦିନକୁ ଦିନ ହାତୀ ଆତଙ୍କ ବଢିବାରେ ଲାଗିଛି। ସନ୍ଧ୍ୟା ହେଲେ ହାତୀ ଜଙ୍ଗଲରୁ ବାହାରି ନିକଟସ୍ଥ ଗ୍ରାମଗୁଡିକରେ ଫସଲ ନଷ୍ଟ କରୁଛନ୍ତି। ଏହି ସମୟରେ କିଛି ଅଘଟଣ ଘଟିବା ଆଶଙ୍କାରେ ସମ୍ପୃକ୍ତ ଅଞ୍ଚଳରେ ବିଦ୍ୟୁତ୍‌ ସେବାକୁ ବନ୍ଦ କରି ଦିଆଯାଉଛି। ଏ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏ ନେଇ କିଛି ବିକଳ୍ପ ବ୍ୟବସ୍ଥା କରି ବିଦ୍ୟୁତ୍‌ ସେବାକୁ ସ୍ବାଭାବିକ କରିବା ପାଇଁ ଲୋକେ ଦାବି କରିଛନ୍ତି। ଏହିଭଳି ପରିସ୍ଥିତିରେ ଶନିବାର ସନ୍ଧ୍ୟାରେ ୨୧ ହାତୀ ମୁଜାଗଡ ରେଞ୍ଜରେ ଥିବା ଜଣାପଡିଛି । ସେଥିରୁ ବୁଦିଲୀ ନିକଟସ୍ଥ ଇଟାଭାଟିଠାରେ ଗୋଟିଏ ଦନ୍ତା ଘୂରି ବୁଲୁଛି। ସେହିଭଳି ଆଉ ୨୦ ହାତୀ ଗଣ୍ଡିସୁଲା ଗ୍ରାମ ନିକଟରେ ବୁଲୁଛନ୍ତି। ରାତିରେ ଉକ୍ତ ହାତୀପଲ ଏବଂ ଦନ୍ତା ହାତୀଟି ଭଞ୍ଜନଗର ମୁଜାଗଡ ଜାତୀୟ ରାଜପଥ ଅତିକ୍ରମ କରିବା ସମ୍ଭାବନା ରହିଛି। ଏହି ସମୟରେ କିଛି ଅଘଟଣ ଘଟିବା ଆଶଙ୍କା ଥିବାରୁ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ରହି ପରିସ୍ଥିତି ପ୍ରତି ନଜର ରଖିଛନ୍ତି।
ଅପରପକ୍ଷେ ଶୁକ୍ରବାର ରାତି ସାରା ପାୱାର କଟ୍‌ ହୋଇଥିବା ବେଳେ ଶନିବାର ସନ୍ଧ୍ୟାରୁ ପୁଣି ପାୱାର କଟ୍‌ ହୋଇଥିଲା। ତେଣୁ ଉତ୍ତ୍ୟକ୍ତ ଲୋକେ ମୁଜାଗଡ଼ଠାରେ ଭଞ୍ଜନଗର- ଫୁଲବାଣୀ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହାନ ଅଟକି ରହିଛି।
ସେହିଭଳି ଜଗନ୍ନାଥପ୍ରସାଦ ରେଞ୍ଜ୍‌ରେ ୧୭ ହାତୀ ଥିବା ବେଳେ ତାରସି ରେଞ୍ଜରେ ୨୬ ହାତୀ ଶନିବାର ସନ୍ଧ୍ୟା ସୁଦ୍ଧା ଚଳପ୍ରଚଳ କରୁଥିବା ଜଣାପଡ଼ିଛି। ବିଗତ କିଛିଦିନ ମଧ୍ୟରେ ଏହି ବନଖଣ୍ଡରେ ୩ ଦନ୍ତାହାତୀର ମୃତ୍ୟୁ ଘଟିଛି। ତେଣୁ ଯେଭଳି କୌଣସି ଅଘଟଣ ନ ଘଟିବ ସେଥିପାଇଁ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି। ଡିଏଫ୍‌ଓ ସୁଦର୍ଶନ ବେହେରା ପ୍ରତ୍ୟକ୍ଷ ଭାବେ ପାଟ୍ରୋଲିଂ ବ୍ୟବସ୍ଥାକୁ ତଦାରଖ କରୁଛନ୍ତି। ଏନେଇ ମୁଜାଗଡ ରେଞ୍ଜର ବିମ୍ବାଧର ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ହାତୀଙ୍କ ସୁରକ୍ଷା ପାଇଁ କିଛି ସମୟ ଲାଗି ପାୱାର କଟ୍‌ କରାଯାଉଛି।