ପାତ୍ରପୁର ବିଡିଓଙ୍କୁ ଆକ୍ରମଣ: କାର୍ଯ୍ୟାନୁଷ୍ଠାନ ଦାବି କଲେ ଓଏଏସ ସଂଘ

ଛତ୍ରପୁର,୨୫।୨(ଡି.ଏନ୍‌ଏ.): ଗଞ୍ଜାମ ଜିଲା ପାତ୍ରପୁର ବିଡିଓ ପ୍ରକାଶ କୁମାର ଦାସଙ୍କୁ ଆକ୍ରମଣ ମାମଲା ନେଇ ଓଏଏସ୍‌ ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଏହି ଘଟଣାକୁ ନିନ୍ଦା କରାଯାଇଛି । ଏଥିରେ ସମ୍ପୃକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସଂଘ ପକ୍ଷରୁ ଦାବି ହୋଇଛି । ଏନେଇ ଓଏଏସ୍‌ ସଂଘର ଏକ ପ୍ରତିନିଧିଦଳ ଶୁକ୍ରବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ, ୨୩ ତାରିଖରେ ଜରଡା ଥାନା ଅଧୀନ ତୁମ୍ବା ପଞ୍ଚାୟତରୁ ଫେରୁଥିବାବେଳେ ଭୋଟର ଲିଷ୍ଟରେ ନାଁ ନ ଥିବାରୁ ପ୍ରତିବାଦ କରି କେତେକ ଲୋକ ଅଟକାଇବା ସହ ତାଙ୍କ ଗାଡିର କାଚକୁ ପଥର ଫିଙ୍ଗି ଭାଙ୍ଗିଦେଇଥିଲେ। ପରେ ବିଡିଓ ଏବଂ ତାଙ୍କ ଗାଡିକୁ ଆକ୍ରମଣ କରିବା ସହ ଛୁରି ଦେଖାଇ ୪ କି.ମି. ରାସ୍ତା ଜବରଦସ୍ତ କରି ଚଲାଇନେଇଥିଲେ । ପରେ ପ୍ରଶାସନ ଓ ପୋଲିସ ଅଧିକାରୀ ତାଙ୍କୁ ଉଦ୍ଧାର କରିଥିଲେ। ସ୍ମାରକପତ୍ର ପ୍ରଦାନ ବେଳେ ଅତିରିକ୍ତ ଜିଲାପାଳ ଲୀନା କୁମାରୀ ଖେସ ଓ ପ୍ରିୟ ରଞ୍ଜନ ପୃଷ୍ଟି , ଛତ୍ରପୁର ଉପଜିଲାପାଳ ନୀଳମାଧବ ଭୋଇ, ପ୍ରକାଶ କୁମାର ମିଶ୍ର, ରାଜକିଶୋର ପଟ୍ଟନାୟକ, ସସ୍ମିତା ଶତପଥୀ, ମନୋରଞ୍ଜନ ସାହୁ, ନିତୀଶ ତ୍ରିପାଠୀ, ରାଜକିଶୋର ଜେନା ଓ ଦିଲୀପ କୁମାର ନାୟକ ପ୍ରମୁଖ ଓଏଏସ୍‌ ଅଫିସର ଉପସ୍ଥିତ ଥିଲେ ।