Categories: ବାଣିଜ୍ୟ

ରାଜ୍ୟଗୁଡ଼ିକୁ ୬ ହଜାର କୋଟିର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) କ୍ଷତିପୂରଣ ରାଶି ଭାବେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ସପ୍ତମ କିସ୍ତି ଭାବେ ଆଉ ୬ ହଜାର କୋଟି ଟଙ୍କା ସୋମବାର ପ୍ରଦାନ କରିଛନ୍ତି। ସରକାର ଏବେ ସୁଦ୍ଧା ରାଜ୍ୟଗୁଡିକୁ ୪୨ ହଜାର କୋଟି ଟଙ୍କା ଏହି ବାବଦ ଅର୍ଥ ଯୋଗାଇ ଦେଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଓଡ଼ିଶା ଏହି ବାବଦକୁ ୧୭୪୬.୧୩ କୋଟି ଟଙ୍କା ପାଇଲାଣି। ସେହିଭଳି ରାଜ୍ୟ ୨୮୫୮ କୋଟି ଟଙ୍କା ଋଣ କରିବା ଲାଗି ଅନୁମତି ମିଳିଛି। ଏହାବାଦ ବର୍ତ୍ତମାନ ପ୍ରଦାନ କରାଯାଇଥିବା ୬ ହଜାର କୋଟି ଟଙ୍କା ମଧ୍ୟରୁ ୨୩ ରାଜ୍ୟ ୫୫୧୬ କୋଟି ଟଙ୍କା ପାଇବେ। ଦିଲ୍ଲୀ, ଜମ୍ମୁ ଆଣ୍ଡ କଶ୍ମୀର ଓ ପୁଡୁଚେରୀ ଭଳି ୩ କେନ୍ଦ୍ର ଶାସିତ ଅଞ୍ଚଳକୁ ୪୮୩.୪୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଅରୁଣାଞ୍ଚଳ ପ୍ରଦେଶ, ମଣିପୁର, ମିଜୋରାମ, ନାଗାଲାଣ୍ଡ ଏବଂ ସିକିମ ଭଳି ୫ ରାଜ୍ୟ କ୍ଷତି ସହିନ ଥିବାରୁ କ୍ଷତିପୂରଣ ରାଶି ପାଇ ନ ଥିବା ମନ୍ତ୍ରଣାଳୟ କହିଛି।
ଅକ୍ଟୋବର ମାସରେ କେନ୍ଦ୍ର ସରକାର ସ୍ବତନ୍ତ୍ର ଋଣ ଓ୍ବିଣ୍ଡୋ ଗଠନ କରିଛନ୍ତି। ରାଜ୍ୟଗୁଡିକ ଲାଗି କେନ୍ଦ୍ର ୧.୧୦ ଲକ୍ଷ କୋଟି ଟଙ୍କାର ଋଣ କରି କିସ୍ତିରେ ଏହାକୁ ପ୍ରଦାନ କରୁଛି। ଏହାବାଦ୍‌ ଅତିରିକ୍ତ ଋଣ କରିବା ଲାଗି ରାଜ୍ୟଗୁଡିକୁ ଅନୁମତି ପ୍ରଦାନ କରାଯାଇଛି। ରାଜ୍ୟ ସେମାନଙ୍କ ମୋଟ ରାଜ୍ୟ ଜିଡିପି(ଏସ୍‌ଜିଡିପି)ର ୦.୫୦% ଋଣ କରିପାରିବେ ବୋଲି ଅନୁମତି ପ୍ରଦାନ କରାଯାଇଛି। ବିକଳ୍ପ ୧ ଚୟନ କରିଥିବା ରାଜ୍ୟ ଏଭଳି ସୁବିଧା ନେଇପାରିବେ। ଉଲ୍ଲେଖଯୋଗ୍ୟ କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିପୂରଣ ରାଶି ଭରଣା ଲାଗି ରାଜ୍ୟଗୁଡିକୁ ୨ଟି ବିକଳ୍ପ ଦେଇଥିଲେ। ରିଜର୍ଭ ବ୍ୟାଙ୍କ ଓ୍ବିଣ୍ଡୋରୁ ୧.୧୦ ଲକ୍ଷ କୋଟି କିମ୍ବା ବଜାରରୁ ୨.୩୫ ଲକ୍ଷ କୋଟି ଟଙ୍କା ଉଠାଣ ନେଇ ପ୍ରସ୍ତାବ ଦିଆଯାଇଥିଲା। ସବୁ ରାଜ୍ୟ ପ୍ରଥମ ବିକଳ୍ପ ଗ୍ରହଣ କରିଛନ୍ତି। ଫଳରେ ରାଜ୍ୟ ମୋଟ ୧.୦୬ ଲକ୍ଷ କୋଟି ଟଙ୍କା ଋଣ କରିପାରିବେ ବୋଲି ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।

Share