ଅଗ୍ନିପଥକୁ ବିରୋଧକରି ୬୦ କି.ମି. ଦୌଡ଼ିଲେ ଯୁବକ

ଉମରକୋଟ,୧୭ା୬(ସ୍ବ.ପ୍ର.): ସୈନ୍ୟବାହିନୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ଯୋଜନା ‘ଅଗ୍ନିପଥ’ ବିରୋଧରେ ଆନ୍ଦୋଳନ ବିଭିନ୍ନ ରାଜ୍ୟରେ ହିଂସାତ୍ମକ ରୂପ ନେଇଛି। ଏହି ଯୋଜନା ପ୍ରତ୍ୟାହାର ପାଇଁ ନିଯୁକ୍ତି ଆଶାୟୀଙ୍କ ମଧ୍ୟରେ ଦାବି ହେଉଛି। ନବରଙ୍ଗପୁର ଜିଲା ଉମରକୋଟ ସହରର ଜଣେ ଯୁବକ ଶୁକ୍ରବାର ଏହି ଯୋଜନାକୁ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ସନ୍ତୋଷୀ ନଗର ଅଞ୍ଚଳର ନରେଶ ବିଶ୍ୱାସ(୨୩) ନବରଙ୍ଗପୁରରୁ ଉମରକୋଟ ୬୦ କି.ମି. ଦୂର ଦୌଡ଼ି ନିଜ ଯୋଗ୍ୟତା ପ୍ରଦର୍ଶନ କରିଛନ୍ତି। ଅଗ୍ନିପଥ ଯୋଜନା ପ୍ରତ୍ୟାହାର ସହ ଆଶାୟୀ ଯୁବତୀଯୁବକଙ୍କୁ ସେନାରେ ୧୫ ବର୍ଷ ପାଇଁ ନିଯୁକ୍ତି ଏବଂ ସମସ୍ତ ସରକାରୀ ସୁବିଧା ଯୋଗାଇବାକୁ ସେ ଦାବି କରିଛନ୍ତି।
ସେନାରେ ଭର୍ତ୍ତି ପାଇଁ ଆଶାୟୀଙ୍କ ସମର୍ଥନରେ ଏବଂ ଅଗ୍ନିପଥ ଯୋଜନାର ବିରୋଧରେ ସେ ୬୦ କି.ମି. ଦୌଡ଼ିଥିବା ନରେଶ କହିଛନ୍ତି। କେନ୍ଦ୍ର ସରକାର ଅଗ୍ନିପଥ ଯୋଜନାରେ ପ୍ରସ୍ତୁତ କରିଥିବା ନିୟମାବଳୀ ଆଶାୟୀଙ୍କ ମନରେ ଆଘାତ ଦେଇଛି ବୋଲି ନରେଶ କହିଛନ୍ତି। ଅବିଳମ୍ବେ ଏହାର ପ୍ରତ୍ୟାହାର ନିମନ୍ତେ ସେ ଦାବି କରିଛନ୍ତି।
ନିଜ ବିଷୟରେ ନରେଶ କହିଛନ୍ତି, ଦେଶସେବା ପାଇଁ ପ୍ରବଳ ଆଗ୍ରହ ରହିଛି। ହେଲେ ଯୁକ୍ତ ୨ ଶିକ୍ଷା ପରେ ୨ ଥର ସେନାରେ ଭର୍ତ୍ତି ପାଇଁ ପରୀକ୍ଷା ଦେଇ ବିଫଳ ହୋଇଥିଲେ। ଏବେ ବୟସ ଅତିକ୍ରାନ୍ତ ହୋଇଥିବାରୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ଯିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସୁଯୋଗକୁ ସେ ଅପେକ୍ଷା କରିଛନ୍ତି। ୭ ମାସ ତଳେ ବାପାଙ୍କ ମୃତ୍ୟୁ ଘଟିଥିବାବେଳେ ପରିବାରର ଦାୟିତ୍ୱ ତାଙ୍କ ଉପରେ। ଆର୍ଥିକ ସ୍ଥିତି ଖରାପ ଯୋଗୁ ଅଧିକ ପଢ଼ିପାରି ନାହାନ୍ତି। ରାଜ୍ୟ ସରକାର ସହାୟତା ଯୋଗାଇଲେ ଜଣେ ଆଥ୍‌ଲେଟ୍‌ ଭାବେ ରାଜ୍ୟ ପାଇଁ ଖେଳିବେ ବୋଲି ନରେଶ କହିଛନ୍ତି।