୬ ଦାଦନ ଶ୍ରମିକ ଉଦ୍ଧାର

କର୍ଲାମୁଣ୍ଡା,୧୫ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ଭୁଏରମୁଣ୍ଡା ଗ୍ରାମର ୬ଜଣ ଯୁବକ ଅର୍ଥ ରୋଜଗାର ଆଶାରେ ଦାଦନ ଶ୍ରମିକ ଭାବେ ଚେନ୍ନାଇ ସହରର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ତେବେ କମ୍ପାନୀ ମାଲିକଙ୍କ ଦ୍ୱାରା ନିର୍ଯାତନା ଶିକାର ହେଉଥିବା ନେଇ ଏକ ଭିଡିଓ ଜରିଆରେ ଉଦ୍ଧାର କରିବାକୁ ନିବେଦନ କରିଥିଲେ। ତେବେ ସ୍ଥାନୀୟ ଜିଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀଙ୍କ ସହଯୋଗରେ ଶ୍ରମିକଙ୍କ ପରିବାର ଲୋକେ ମ.ରାମପୁର ଥାନାଧିକାରୀ ସଚିନ୍ଦ୍ର ପ୍ରଧାନଙ୍କୁ ଗୁରୁବାର ସାକ୍ଷାତ କରି ସହଯୋଗ କାମନା କରିଥିଲେ। ଏଥିରେ ଥାନାଧିକାରୀ ତାମିଲନାଡୁ ପୋଲିସ ସହ ଯୋଗାଯୋଗ କରି ୬ ଜଣ ଯୁବକଙ୍କୁ ଉଦ୍ଧାର ବ୍ୟବସ୍ଥା କରାଇଥିଲେ। ଶନିବାର ୬ ଜଣ ଯୁବକ ନିଜ ଗାଁକୁ ଫେରି ଆସିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଭୁଏରମୁଣ୍ଡା ଗ୍ରାମର ଦୀନବନ୍ଧୁ ସାହୁ (୨୨) ଶକ୍ତି ସାହୁ(୧୯) ସମୀର ସାହୁ(୧୮)ଅମୀର ସାହୁ(୧୯) ତୁମେଶ୍ୱର ସାହୁ(୧୮) ସମୀର ସାହୁ(୨୧) ଗତ ମଇ ମାସରେ ତାମିଲନାଡୁର ଚେନ୍ନାଇ ସହରର ଟିଇସି ନାମକ ଏକ ଘରୋଇ କମ୍ପାନୀରେ କାମ କରିବାକୁ ଯାଇଥିଲେ। ଉକ୍ତ ଯୁବକମାନେ ଘରକୁ ଫେରିବା ପରେ ଗାଁରେ ଖୁସିର ଲହରି ଖେଳିଯାଇଛି।