ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା ଘଟଣା: ୨ ଅଟକ

ପାଟଣାଗଡ଼,୧୨ା୧୧(ଡି.ଏନ୍‌.ଏ.): ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି।

ସୂଚନା ଅନୁସାରେ, ମୃତ ବୁଲୁ ଜାନୀ ୧୦ ବର୍ଷ ତଳେ ଝାଡ଼ଖଣ୍ଡ ରାଜ୍ୟରୁ ଆସି ବଲାଙ୍ଗୀର ଜିଲା ପାଟଣାଗଡ଼ ସହରାପଡ଼ାଠାରେ ଘର କରି ରହୁଥିଲେ। ପରେ ପୁଣି ତାଙ୍କ ସମ୍ପ୍ରଦାୟର ୩ – ୪ଟି ପରିବାର ଆସି ସେଠାରେ ରହୁଥିଲେ। ମଝିରେ ମଝିରେ ଏମାନଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା ଏବଂ କିଛି ପରିବାରକୁ ବୁଲୁ ଜାନୀ ଝଗଡ଼ା କରି ୩-୪ ମାସ ପୂର୍ବରୁ ସେଠାରୁ ବାହାର କରିଦେଇଥିଲେ। ବର୍ତ୍ତମାନ ଏଠାରେ ବୁଲୁ ଜାନୀଙ୍କ ଦୂର ସମ୍ପର୍କୀୟ ବାବୁଲା ଜାନୀଙ୍କ ପରିବାରକୁ ଛାଡ଼ି ସମସ୍ତେ ଅନ୍ୟ କୌଣସି ସ୍ଥାନକୁ ପଳାଇଥିଲେ। ବୁଲୁ ଜାନୀଙ୍କ ପୁଅ ସରୋଜ, ବିକାଶ ଏବଂ ରାଜେଶ ୪-୫ ଦିନ ତଳେ ଭୁବନେଶ୍ୱର ଯାଇଥିବା ବେଳେ ଗୁରୁବାର ସକାଳେ ପାଟଣାଗଡ଼ରେ ପହଞ୍ଚତ୍ଛନ୍ତି। ବର୍ଷେ ତଳେ ବୁଲୁ ଜାନୀଙ୍କ ବଡ଼ପୁଅଙ୍କୁ ନବରଙ୍ଗପୁର ଅଞ୍ଚଳରେ ବାବୁଲା ଜାନୀ ଏବଂ ତାଙ୍କ ପୁଅ ମାରି ଦେଇଥିବା ଅଭିଯୋଗ ଆଣିଛନ୍ତି। ଦୁଇ ତିନ ଦିନ ତଳେ ବୁଲୁ ଜାନୀଙ୍କ ପୁଅ ସରୋଜଙ୍କୁ ବାବୁଲା ଜାନୀଙ୍କ ପୁଅ ଶିବା ଜାନୀ ଏବଂ ବୁଲା ଜାନୀ ଫୋନ୍‌ କରି ଆଜି ରାତିରେ ତୋ’ ମା ବାପାଙ୍କୁ ହତ୍ୟା କରିବୁ ବୋଲି ଧମକ ଦେଇଥିଲେ ବୋଲି ସରୋଜ କହିଛନ୍ତି। ଏହାକୁ ଭିତ୍ତି କରି ପୋଲିସ ବାବୁଲା ଜାନୀଙ୍କ ଦୁଇ ପୁଅ ଶିବା ଜାନୀ ଏବଂ ବୁଲା ଜାନୀଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି। ବର୍ତ୍ତମାନ ପୋଲିସ ୬ଟି ମୃତଦେହ ବ୍ୟବଚ୍ଛେଦ କରିଥିବା ବେଳେ ବୁଲୁ ଜାନୀଙ୍କ ପୁତ୍ରମାନଙ୍କୁ ହସ୍ତାନ୍ତର କରିଛି।