କରୋନା ଚିକିତ୍ସା ପାଇଁ ୬ ଔଷଧ; ଜାଣନ୍ତୁ କ’ଣ ରହିଛି ମୂଲ୍ୟ

ନୂଆଦିଲ୍ଲୀ,୧୫।୭: ବର୍ତ୍ତମାନ କରୋନା ନିୟନ୍ତ୍ରଣକୁ ଆସିନାହିଁ। ଏଭଳି ସ୍ଥିତିରେ ଭାରତରେ କରୋନା ଚିକିତ୍ସା ଲାଗି ପ୍ରାଥମିକ ପର୍ଯ୍ୟାୟରେ ୬ ଔଷଧ ବ୍ୟବହାର କରାଯାଉଛି। ଗ୍ଲେନମାର୍କ ଫାର୍ମାସିଟିକାଲ ଫାବିଫ୍ଲୁ ନାମରେ ଔଷଧ ଆଣିଛି। ବର୍ତ୍ତମାନ ଏହି ଔଷଧ ମୂଲ୍ୟରେ କମ୍ପାନୀ ୨୭% ହ୍ରାସ କରିଛି। ପୂର୍ବରୁ ଏହାର ଗୋଟିଏ ଟାବଲେଟ ପାଇଁ ୧୦୩ ଟଙ୍କା ଦେବାକୁ ପଡୁଥିବା ବେଳେ ବର୍ତ୍ତମାନ ଏହାର ମୂଲ୍ୟ ୭୫ ଟଙ୍କାକୁ ହ୍ରାସ ଘଟିଛି। ସେହିଭଳି ବାୟୋକନ ଆଣିଥିବା ଇଟୋଲିଜୁମାବ ମେଡିସିନକୁ ସରକାର ମଞ୍ଜୁରୀ ଦେଇଛନ୍ତି। ଏହି କମ୍ପାନୀର କରୋନା କୋର୍ସ ପ୍ରାୟ ୩୨ ହଜାର ଟଙ୍କାରେ ବିକ୍ରି ହେଉଛି। ସାରା ଦୁନିଆରେ ବିକ୍ରି ହେବା ଲାଗି ଦେଶର ପ୍ରଥମ କରୋନା ମେଡିସିନ ବୋଲି କମ୍ପାନୀ ସୂଚନା ଦେଇଛି। ଜୁନ ମାସରେ ସିପ୍‌ଲା ନାମକ କମ୍ପାନୀ ରେମଡିସିଭରର ଜେନେରିକ ଭର୍ସନ ସିପରମିର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରିଛି। ଏହା ଏକ ଇଞ୍ଜେକଶନ ହୋଇଥିବା ବେଳେ ଏହାର ପ୍ରତି ଫାଇଲ ମୂଲ୍ୟ ୪ ହଜାର ଟଙ୍କା ରହିଛି। ବର୍ତ୍ତମାନ ସମୟରେ ଟୋସିଲି ଜୋମାବ ନାମକ ଇଞ୍ଜେକଶନର ଜୋରଦାର ଚାହିଦା ରହିଥିବା ବେଳେ ଏହାର ୪୫ ହଜାରରୁ ୧ ଲକ୍ଷ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଏହା ସୁଇଜରଲାଣ୍ଡ ଭିତ୍ତିକ କମ୍ପାନୀ ରୋଚେ ଫାର୍ମା ଦ୍ୱାରା ପ୍ରସ୍ତୁତ ହେଉଥିବା ବେଳେ ଭାରତରେ ସିପ୍‌ଲା ଏହାର ମାର୍କେଟିଂ କରୁଛି। ସେହିଭଳି ହେଟେରୋ ଫାର୍ମା ପକ୍ଷରୁ ପ୍ରସ୍ତୁତ କୋଭିଭରର ପ୍ରତି ଫାଇଲ ମୂଲ୍ୟ ୫୪୦୦ ଟଙ୍କାରୁ ଆରମ୍ଭ ହେଉଛି। ଏହାବାଦ ମିଲାନ ଏନ୍‌ଭି ପକ୍ଷରୁ ବଜାରକୁ ଆସିଥିବା ଡେସରେମର ମୂଲ୍ୟ ୪୮୦୦ ଟଙ୍କା ରହିଥିବା ଜଣାପଡିଛି।

Share