Categories: ବାଣିଜ୍ୟ

ପ୍ରଥମ ଦିନରେ ୬ଲକ୍ଷ କୋଟିର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୨।୧୨:ଚଳିତ ବର୍ଷର ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୨ ବୁଧବାର ଠାରୁ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଏପରିକି ୨୦୨୨ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଏହି କନ୍‌କ୍ଲେଭ ଜାରି ରହିବ। ବିଶେଷକରି ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ (ଏମ୍‌ଆଇଓସି)-୨୨ର ପ୍ରଥମ ଦିନରେ ପ୍ରାୟ ୬ ଲକ୍ଷ କୋଟି ଟଙ୍କା (୫,୮୫,୭୪୨.୨୬ ଟଙ୍କା)ର ନିବେଶ ପ୍ରସ୍ତାବ ଆସିଥିବା ଜଣାପଡ଼ିଛି। ସେହିଭଳି ପ୍ରଥମ ଦିନରେ ୬୭ଟି ବାଣିଜି୍ୟକ ସଂସ୍ଥା ସହ ବୁଝାମଣାପତ୍ର ସ୍ବାକ୍ଷର(ଏମ୍‌ଓୟୁ) ହୋଇଥିବା ବେଳେ ୨୧ ଶିଳ୍ପସଂସ୍ଥା ଏବଂ ୪୬ ଷ୍ଟାର୍ଟଅପ୍‌ ୟୁନିଟ୍‌ ସହ ଏମ୍‌ଓୟୁ ହୋଇଛି। ଉପରୋକ୍ତ ୬୭ ସଂସ୍ଥା ଦ୍ୱାରା ୨,୪୭,୮୯୭ ଜଣଙ୍କୁ ନିଯୁକ୍ତି ମିଳିବା ସୁଯୋଗ ରହିଥିବା ଶିଳ୍ପ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଗତ ୬ ମାସ ମଧ୍ୟରେ ଦେଶ ଓ ବିଦେଶରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ନିବେଶକ ସମ୍ମିଳନୀ ଓ ରୋଡ୍‌ ଶୋ ଜରିଆରେ ମଧ୍ୟ ୧ ଲକ୍ଷ କୋଟି (୧,୪୦, ୩୮୬.୧୯ ଟଙ୍କା)ରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବା ଶିଳ୍ପ ବିଭାଗ ପକ୍ଷରୁ ଉଲ୍ଲେଖ କରାଯାଇଛି। ଏହି ପରିପ୍ରେକ୍ଷୀରେ ୭୮ ଶିଳ୍ପସଂସ୍ଥା ସହ ଏମ୍‌ଓୟୁ ସ୍ବାକ୍ଷର ହୋଇଥିବା ବେଳେ ୭୨,୮୪୯ ଜଣ ନିଯୁକ୍ତି ପାଇବେ ବୋଲି ମଧ୍ୟ ସମ୍ଭାବନା ରହିଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶା ସରକାରଙ୍କ ମିଶନ ଏମ୍‌ଆଇଓସିର ୧ଦିନ ଶେଷ ସୁଦ୍ଧା ମୋଟ ୭,୨୬,୧୨୮.୪୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶର (ଏମ୍‌ଓୟୁ ସ୍ବାକ୍ଷର) ପ୍ରସ୍ତାବ ଆସିଥିବା ବେଳେ ୩,୨୦,୭୪୧ ଜଣଙ୍କୁ ନିଯୁକ୍ତି ମିଳିବାର ମଧ୍ୟ ସୁଯୋଗ ରହିଛି। ଅପରପକ୍ଷେ ଉପରୋକ୍ତ ପୁଞ୍ଜିନିବେଶ ବିଶେଷକରି ସବୁ କ୍ଷେତ୍ରରୁ ଆସିଥିବା ବେଳେ ସର୍ବାଧିକ ୨ଲକ୍ଷ କୋଟି ଟଙ୍କାର ପାଣ୍ଠି ମିନେରାଲ ଶିଳ୍ପ ସହ ଜଡ଼ିତ ଶିଳ୍ପସଂସ୍ଥାଗୁଡ଼ିକରୁ ଆସିଛି। ପ୍ରାୟ ୧୨୦୦ କୋଟି ଟଙ୍କା ଏମ୍‌ଏସ୍‌ଏମ୍‌ଇ ବର୍ଗର ଶିଳ୍ପସଂସ୍ଥାଗୁଡ଼ିକରୁ ଆସିଛି ବୋଲି ଶିଳ୍ପ ବିଭାଗର ଶାସନ ସଚିବ ହେମନ୍ତ ଶର୍ମା ବିସ୍ତୃତ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏମ୍‌ଆଇଓସିର ପ୍ରଥମ ଦିନରେ ମୋଟ ୧୩ଟି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏପରିକି ପ୍ରଥମ ପର୍ଯ୍ୟାୟରେ ୨ଟି ପ୍ଲାନେରି ସେସନ ହୋଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ୮ଟି ବିଜ୍‌ନେସ ଲିଡରଶିପ ଟକ୍‌ (ବିଏଲ୍‌ଟି) ଏବଂ ୩ଟି କଣ୍ଟ୍ରି ସେସନ (ଜାପାନ, ନରଓ୍ବେ ଏବଂ ଗ୍ଲୋବାଲ) କାର୍ଯ୍ୟକ୍ରମ ରହିଥିଲା।

Share