ନୂଆଦିଲ୍ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ ବର୍ତ୍ତମାନ ବର୍ଷକୁ ୬ଟି ଏଲପିଜି (LPG) ସିଲିଣ୍ଡର ମାଗଣାରେ ଯୋଗାଇଦେବାକୁ ଘୋଷଣା କରିଛନ୍ତି। ‘ଅନ୍ତ୍ୟୋଦୟ ଅନ୍ନ ଯୋଜନା’ (AAY) ଅଧୀନରେ ଆସୁଥିବା ପରିବାରଗୁଡ଼ିକୁ ସରକାରଙ୍କ ପକ୍ଷରୁ ଏହି ଯୋଜନାର ଲାଭ ମିଳିବ। ଏହି ପରିବାରଗୁଡ଼ିକୁ ବର୍ତ୍ତମାନ ପ୍ରତିବର୍ଷ ୬ଟି ସିଲିଣ୍ଡର ସମ୍ପୂର୍ଣ୍ଣ ମାଗଣାରେ ମିଳିବ, ଯେତେବେଳେ କି ବାକି ସିଲିଣ୍ଡର ଉପରେ ସବସିଡିର ସୁବିଧା ଉପଲବ୍ଧ ହେବ। ଖାଦ୍ୟ, ନାଗରିକ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସତୀଶ ଶର୍ମା ବିଧାନସଭା ଅଧିବେଶନ ସମୟରେ ୨୪ ସେପ୍ଟେମ୍ୱରରେ ଏହି ଘୋଷଣା କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଗରିବ ପରିବାରକୁ ସିଧାସଳଖ ଆର୍ଥିକ ସହାୟତା ମିଳିବ।
ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଯୋଜନାର ଲାଭ କେବଳ ଜମ୍ମୁ-କାଶ୍ମୀରର ‘ଅନ୍ତ୍ୟୋଦୟ ଅନ୍ନ ଯୋଜନା’ (AAY) ରାସନ କାର୍ଡଧାରୀମାନଙ୍କୁ ହିଁ ମିଳିବ। ଏହି କାର୍ଡ ସମାଜର ସବୁଠାରୁ ତଳସ୍ତରର ତଥା ଅତ୍ୟନ୍ତ ଗରିବ ଶ୍ରେଣୀର ପରିବାରଗୁଡ଼ିକ ପାଇଁ ଜାରି କରାଯାଇଥାଏ। ଏହି ଯୋଜନାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ରଖିବା ପାଇଁ ସରକାର ‘ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ’ (DBT) ବ୍ୟବସ୍ଥା ଆପଣାଇବେ। ଏହା ଅଧୀନରେ ହିତାଧିକାରୀମାନଙ୍କୁ ପ୍ରଥମେ ସାଧାରଣ ଭାବରେ ସିଲିଣ୍ଡର କିଣିବାକୁ ପଡ଼ିବ, ତା’ପରେ ସିଲିଣ୍ଡରର ସମ୍ପୂର୍ଣ୍ଣ ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ରିଫଣ୍ଡ ସବସିଡି ଆକାରରେ ପଠାଇ ଦିଆଯିବ। ରାଜ୍ୟର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ମଧ୍ୟ ସୋସିଆଲ ମିଡିଆରେ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।
ଜମ୍ମୁ-କାଶ୍ମୀର ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ବିରୋଧୀ ଦଳ ଭାଜପା ଗୃହରେ ଏହି ଯୋଜନାକୁ ନେଇ ଜୋରଦାର ହଙ୍ଗାମା କରିଥିଲା। ବିରୋଧୀଙ୍କ ଅଭିଯୋଗ ଯେ, ନ୍ୟାସନାଲ କନଫରେନ୍ସ ବିଧାନସଭା ର୍ନିବାଚନ ସମୟରେ ତାର ଇସ୍ତାହାରରେ ଜମ୍ମୁ-କଶ୍ମୀରର ‘ପ୍ରତ୍ୟେକ ପରିବାର’କୁ ବର୍ଷକୁ ୧୨ଟି ମାଗଣା ଏଲପିଜି ସିଲିଣ୍ଡର ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏହି ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ। କ୍ଷମତାକୁ ଆସିବା ମାତ୍ରେ ସରକାର ସିଲିଣ୍ଡର ସଂଖ୍ୟା ୧୨ରୁ କମାଇ ୬ କରିଦେଇଛନ୍ତି। ର୍ନିବାଚନ ବେଳେ ଏହା ସମସ୍ତଙ୍କ ପାଇଁ ଲାଗୁ ହେବ ବୋଲି କୁହାଯାଇଥିବା ବେଳେ ଏବେ ଏହାକୁ କେବଳ AAY ରାସନ କାର୍ଡଧାରୀଙ୍କ ମଧ୍ୟରେ ସୀମିତ ରଖାଯାଇଛି। ଏହି ପ୍ରସଙ୍ଗକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା।