କରୋନା ପଜିଟିଭ୍‌ ଡାକ୍ତରଙ୍କ ସଂସ୍ପର୍ଶରେ ୬ ପରିବାର: ସଙ୍ଗରୋଧରେ ରହିଲେ ୪୦

ରସୁଲପୁର,୨୯ା୬ (ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଅଧୀନ ପ୍ରଥମାଖଣ୍ଡି ପଞ୍ଚାୟତ ଗୋପାଳପୁର ଗାଁର ଜଣେ ଦାନ୍ତ ଡାକ୍ତର ଗତ ୨୩ ତାରିଖରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସମ୍ପୃକ୍ତ ଡାକ୍ତର କଟକରେ ରହୁଥିଲେ ହେଁ ଗତ ୧୭ ତାରିଖରେ ସେ ପରିବାର ସହ ନିଜ ଗଁା ଗୋପାଳପୁରକୁ ଯାଇଥିଲେ। ଏହାସହ ଘର ପାଖର ୬ ପରିବାର ସହ ମିଳାମିଶା କରିଥିଲେ ବୋଲି ତାଙ୍କ ଟ୍ରାଭେଲ ହିଷ୍ଟ୍ରିରୁ ଜଣାପଡ଼ିଛି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ରସୁଲପୁର ବ୍ଲକ ପ୍ରଶାସନକୁ ଅବଗତ କରାଯାଇଥିଲା। ଏହାପରେ ଗତ ୨୬ ତାରିଖରେ ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କ ନେତୃତ୍ୱରେ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଗୋପାଳପୁର ଗାଁରେ ପହଞ୍ଚତ୍ ସମ୍ପୃକ୍ତ ୬ ପରିବାରର ୪୦ ଜଣଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେବା ସହ କେତେଜଣଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଦେହରେ କରୋନା ଲକ୍ଷଣ ଦେଖାଯାଉଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।