୬ ଦିନ ପରେ ପୋଲିସ ହାତରେ ଲାଗିଛି ପ୍ରମାଣ

ଛତ୍ରପୁର,୨୮ା୪(ଡି.ଏନ୍‌.ଏ): ଛତ୍ରପୁର ଥାନା ହଂସପୁର ଗାଁର ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡାଙ୍କୁ ହତ୍ୟା ଘଟଣାର ୬ ଦିନ ପରେ ବି ପୋଲିସ କାହାରିକୁ ଗିରଫ କରିପାରି ନାହିଁ। ଗତ ୨୨ ତାରିଖ ରାତିରେ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିଲା। ୩ ଦିନ ପର୍ଯ୍ୟନ୍ତ ପୋଲିସର ନିଷ୍କ୍ରିୟତା ଓ ଅଟକ ଥିବା ଅଭିଯୁକ୍ତଙ୍କ ମଧ୍ୟରୁ ପୋଲିସ ଜଣଙ୍କୁ ଛାଡ଼ି ଦେବାରୁ ଗତ ସୋମବାର କୃଷ୍ଣଚନ୍ଦ୍ରଙ୍କ ଭାବୀ ସ୍ତ୍ରୀ ଆରତୀ ପ୍ରଧାନ ବିଷ ପିଇ ଆମତ୍ହତ୍ୟା କରିଥିଲେ। ଏହା ପରେ ବି ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବାରୁ ଗାଁର ଶତାଧିକ ମହିଳା ଓ ପୁରୁଷ ପୋଲିସ ଅଟକ ରଖିଥିବା ବ୍ୟକ୍ତି ଓ ତାଙ୍କର ସମ୍ପର୍କୀୟଙ୍କ ଘର, ଦୋକାନ, ଗାଡି ଭଙ୍ଗାରୁଜା କରିବା ସହ ବିଭିନ୍ନ ଜିନିଷ ଲୁଟିନେଇଥିବା ଅଭିଯୋଗ ହୋଇଛି । ଏହା ସତ୍ତ୍ୱେ ଗାଁରେ ପୋଲିସ ଗାଁରେ ପହଞ୍ଚିପାରି ନାହିଁ।

ସୋମବାର ଆନ୍ଦୋଳନକାରୀ ଉତ୍ତ୍ୟକ୍ତ ହୋଇ ପୋଲିସ ଉପରକୁ ଆକ୍ରମଣ କରିଥିଲେ। ଏନେଇ ଗାଁରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ା ଅନ୍ୟପକ୍ଷେ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଛତ୍ରପୁର ଥାନାକୁ ଆସି ପୋଲିସ ଅଧିକାରୀମାନଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରଛନ୍ତି। ଆଲୋଚନା ବେଳେ ଏସ୍‌ପି ବ୍ରିଜେଶ କୁମାର ରଏ, ଅତିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ, ଥାନା ଆଇଆଇସି ସତ୍ୟ ରଞ୍ଜନ ପ୍ରଧାନ ଉପସ୍ଥିତ ଥିଲେ। ଏହି ମାମଲାରେ କିଛି ବ୍ୟକ୍ତି ଅଟକ ଅଛନ୍ତି, ପୋଲିସ ଘଟଣାର ପ୍ରମାଣ ପାଇଛି। ଏହି ସମ୍ପର୍କରେ ପୋଲିସ ଅଧିକାରୀମାନଙ୍କ ସହ ଆଲୋଚନା କରିଥିବା ଆଇଜି ଭୋଇ ଗଣମାଧ୍ୟକୁ ସୂଚନା ଦେଇଛନ୍ତି। ଗାଁରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଛି ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଇଜି କହିଛନ୍ତି।