ନୂଆଦିଲ୍ଲୀ, ୧୧ା୩: ଭାରତରେ ନିଦ୍ରା ଅଭାବ ଏକ ଗୁରୁତର ସମସ୍ୟାରେ ପରିଣତ ହେବାରେ ଲାଗିଛି। ଦେଶରେ ଲୋକଙ୍କର ଶୋଇବା ଅଭ୍ୟାସକୁ ବିଶ୍ଳେଷଣ କରି ପ୍ରମୁଖ କମ୍ୟୁନିଟି ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ‘ଲୋକାଲ ସର୍କଲ୍ସ’ ପକ୍ଷରୁ କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ୫୯% ଭାରତୀୟ ଦୈନିକ ନିରନ୍ତର ଭାବେ ୬ ଘଣ୍ଟାରୁ କମ୍ ସମୟ ଶୋଇଥାନ୍ତି। ତେବେ ସେମାନଙ୍କ ମଧ୍ୟରୁ ପ୍ରାୟ ଅଧା ଲୋକ କେବଳ ନିଜ ଓ୍ବିକ୍ଏଣ୍ଡ୍ ଛୁଟିରେ ୬ ଘଣ୍ଟାରୁ ଅଧିକ ସମୟ ଶୋଇପାରନ୍ତି।
ଏହି ସର୍ଭେରେ ଲୋକମାନେ କମ୍ ଶୋଇବାକୁ ନେଇ ଅନେକ କାରଣ ଦର୍ଶାଇଛନ୍ତି। କର୍ମଜନିତ କାର୍ଯ୍ୟ ଯୋଗୁ ବିଳମ୍ବରେ ଶୋଇବା କିମ୍ବା ଶୀଘ୍ର ଉଠିବାକୁ ପଡ଼ିବା, ଶୋଇବା ସମୟରେ ବାରମ୍ବାର ଶୌଚାଳୟ ଯିବା, ମଶାର ପ୍ରାଦୁର୍ଭାବ, ବାହ୍ୟ ଶବ୍ଦ ଆଦି କାରଣ ଯୋଗୁ ଲୋକମାନେ ଆବଶ୍ୟକ ମୁତାବକ ଶୋଇପାରୁ ନ ଥିବା ଏହି ସର୍ଭେ କହିଛି। ୪୦ ହଜାର ଭାରତୀୟଙ୍କୁ ନେଇ କରାଯାଇଥିବା ଏହି ସର୍ଭେରେ ୬୧% ପୁରୁଷ ଏବଂ ୩୯% ମହିଳା ଉତ୍ତରଦାତା ନିଜ ଶୋଇବା ପ୍ରବୃତ୍ତି ସମ୍ପର୍କରେ ଆଲୋଚନା କରିଛନ୍ତି। ସର୍ଭେ ଅନୁଯାୟୀ ୩୯% ଲୋକ ଦୈନିକ ୬ରୁ ୮ ଘଣ୍ଟା ପର୍ଯ୍ୟନ୍ତ ଶୋଇପାରୁଥିବା ବେଳେ ମାତ୍ର ୨% ଲୋକ ଦୈନିକ ୮ ଘଣ୍ଟାରୁ ଅଧିକ ସମୟ ଧରି ଶୋଇପାରୁଛନ୍ତି। ସେହିପରି ୩୯% ଲୋକ ଦୈନିକ ୪ରୁ ୬ ଘଣ୍ଟା ଶୋଇବାକୁ ସକ୍ଷମ ହେଉଥିବାବେଳେ ୨୦% ଲୋକ ଦୈନିକ କେବଳ ୪ ଘଣ୍ଟା ଶୋଇପାରୁଥିବା ଏହି ସର୍ଭେ କହିଛି।
ଆସନ୍ତା ମାର୍ଚ୍ଚ ୧୪ରେ ପାଳନ ହେବାକୁ ଥିବା ବିଶ୍ୱ ନିଦ୍ରା ଦିବସକୁ ଦୃଷ୍ଟିରେ ରଖି ଭାରତର ୩୪୮ ଜିଲାରେ ଏହି ସର୍ଭେ କରାଯାଇଛି। ଶୋଇଥିବା ସମୟରେ ଏକାଧିକବାର ଶୌଚାଳୟ ଯିବାକୁ ପଡ଼ୁଥିବାରୁ ଶୋଇବା ସମୟରେ ହ୍ରାସ ଘଟୁଥିବା ନେଇ ୭୨% ଲୋକ ମତ ରଖିଛନ୍ତି। ସେହିପରି କର୍ମଜନିତ କାର୍ଯ୍ୟ ବିଳମ୍ବିତ ରାତି ଯାଏ କିମ୍ବା ଅତି ସକାଳେ ରହୁଥିବା ଦର୍ଶାଇ ୨୫% ଲୋକ ଆବଶ୍ୟକଠାରୁ କମ୍ ସମୟ ଶୋଇପାରୁଥିବା କହିଛନ୍ତି। ମଶାଙ୍କ ପ୍ରକୋପ କିମ୍ବା ବାହ୍ୟ ଶବ୍ଦ ଯୋଗୁ ଅନେକ ସମୟ ଧରି ରାତି ଅନିଦ୍ରା ରହିବାକୁ ପଡ଼ୁଛି ବୋଲି ଏହି ସର୍ଭେରେ ୨୨% ଉତ୍ତରଦାତା କହିଛନ୍ତି। ସେହିପରି କମ୍ ଶୋଇବା
ପାଇଁ ୯% ଲୋକ ନିଜ ପିଲାମାନଙ୍କୁ କିମ୍ବା ପାର୍ଟନରଙ୍କୁ ଦାୟୀ କରିଛନ୍ତି। ୬% ଲୋକ କମ୍ ସମୟ ଶୋଇବା ପାଇଁ ମୋବାଇଲ ଫୋନ୍ ଏବଂ ମେସେଜ୍କୁ ଦାୟୀ କରିଛନ୍ତି।
ତେବେ ଓ୍ବିକ୍ଏଣ୍ଡ୍ ଛୁଟିରେ ଅଧିକ ସମୟ ଶୋଇ ନିଜ ନିଦ୍ରା ଅଭାବକୁ ପୂରଣ କରୁଥିବା ନେଇ ୨୩% ଉତ୍ତରଦାତା କହିଛନ୍ତି। ରବିବାର ଦ୍ୱିପ୍ରହରରେ ଶୋଉଥିବା ନେଇ ୩୬% ଲୋକ କହିଛନ୍ତି। ତେବେ ୩୮% ଉତ୍ତରଦାତା ସେମାନଙ୍କ ଓ୍ବିକଏଣ୍ଡ୍ ଛୁଟିରେ ମଧ୍ୟ ନିଜ ନିଦ୍ରା ଅଭାବକୁ ପୂରଣ କରିପାରୁ ନାହାନ୍ତି ବୋଲି ଏହି ସର୍ଭେରେ କୁହାଯାଇଛି। ଲୋକାଲ ସର୍କଲ୍ସର ପ୍ରତିଷ୍ଠାତା ସଚିନ ତାପାରିଆ କହିଛନ୍ତି, ବିଶ୍ୱରେ ନିଦ୍ରା ଅଭାବ ସର୍ବାଧିକ ଥିବା ଦେଶଗୁଡ଼ିକରେ ଭାରତ ଅନ୍ୟତମ। ଦେଶର ପ୍ରାୟ ୧୦ରୁ ୬ ଜଣ ଲୋକ ଦୈନିକ ୬ ଘଣ୍ଟାରୁ କମ୍ ଶୋଇବା ନିଶ୍ଚିତ ଭାବେ ଚିନ୍ତାଜନକ ପ୍ରସଙ୍ଗ। ଏହାଫଳରେ ଲୋକଙ୍କଠାରେ ଉଚ୍ଚ ରକ୍ତଚାପ, ହୃଦ୍ରୋଗ, ଷ୍ଟ୍ରୋକ୍, ମୋଟାପଣ, ମଧୁମେହ ଆଦି ରୋଗର ବିପଦ ବଢ଼ିଥାଏ।


