ବିଧାନସଭାର ୫୯ ମିନିଟ୍‌: ଜାଣନ୍ତୁ କ’ଣ ଘଟିଲା

ଭୁବନେଶ୍ୱର, ୨୪।୨(ସୁନିତ୍‌ ମିଶ୍ର):ବିଧାନସଭା ବଜେଟ ଅଧିବେଶନର ୬ଷ୍ଠ ଦିନରେ ମଧ୍ୟ ଗୃହକାର୍ଯ୍ୟ ସୁରୁଖୁରୁରେ ହୋଇପାରିନାହିଁ। ଚାଷୀ ପ୍ରସଙ୍ଗରେ ଗୃହ ଭିତରେ ପୂରା ଦିନ ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିଲେ। ଏହିପରି ଭାବେ ଅପରାହ୍ନ ୪ଟାରୁ ଆରମ୍ଭ ହୋଇଥିବା ଅଧିବେଶନ ୨ ଥର ୧୫ ମିନିଟ୍‌ ଲେଖା ମୁଲତବୀ ହେବା ଭିତରେ ୫ଟା ୨୯ ପର୍ଯ୍ୟନ୍ତ ଚାଲିଥିଲା। ୫ଟା ୨୯ରେ ମଙ୍ଗଳବାର ପୂର୍ବାହ୍ନ ୧୦.୩୦ ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଅର୍ଥାତ୍‌ ଦ୍ୱିତୀୟାର୍ଦ୍ଧରେ ମୋଟ୍‌ ୧ ଘଣ୍ଟା ୨୯ ମିନିଟ୍‌ ଗୃହ କାର୍ଯ୍ୟ ଚାଲିଥିବା ବେଳେ ୧୫ ମିନିଟ୍‌ ଲେଖା ଦୁଇଥର ମୁଲତବୀ ହେଲା। ମୁଲତବୀ ସମୟକୁ ଯଦି ମିଶାଯାଏ ତେବେ ୩୦ ମିନିଟ୍‌ ଗୃହକୁ ମୁଲତବୀ ରଖାଗଲା। ୧ ଘଣ୍ଟା ୨୯ ମିନିଟ୍‌ରୁ ଯଦି ୩୦ ମିନିଟ୍‌ର ମୁଲତବୀ ସମୟକୁ ଛାଡ଼ି ଦିଆଯାଏ ତେବେ ବଳକା ୫୯ ମିନିଟ୍‌ ବିରୋଧୀ ଗୃହରେ ହୋହଲ୍ଲା କରୁଥିବାବେଳେ ବାଚସ୍ପତି ଗୃହ ଚଳାଇଥିଲେ।
ଅପରାହ୍ନ ୪ଟାରେ ଯେତେବେଳେ ଗୃହ କାର୍ଯ୍ୟ ଆରମ୍ଭ ହେଲା ତୁରନ୍ତ ବିରୋଧୀ ଦଳର ସଦସ୍ୟମାନେ ନିଜ ଆସନ ଛାଡ଼ି ହାତରେ ପ୍ଲାକାର୍ଡ ଧରି ଚାଷୀ ପ୍ରସଙ୍ଗରେ ସରକାରୀ ବିରୋଧୀ ନାରା ଦେଇ ବାଚସ୍ପତିଙ୍କ ପୋଡିୟମ ତଳ ପର୍ଯ୍ୟନ୍ତ ଉଠି ଆସିଥିଲେ। ବିଜେଡି ସଦସ୍ୟମାନଙ୍କ ସହିତ କଂଗ୍ରେସ ବିଧାୟକମାନେ ମଧ୍ୟ ଏପ୍‌ଷ୍ଟିନ୍‌ ଫାଇଲ୍ସ ଏବଂ ଅନ୍ୟ ପ୍ରସଙ୍ଗ ଉଠାଇ ଗୃହ ମଧ୍ୟଭାଗକୁ ଆସି ବିଜେଡି ସାଙ୍ଗରେ ସରକାର ବିରୋଧୀ ନାରା ଦେଇଥିଲେ। ବାଚସ୍ପତି କିନ୍ତୁ ଗୃହ ଆରମ୍ଭ ହେବା ମାତ୍ରେ କହିଥିଲେ, ପୂର୍ବାହ୍ନରେ ଗୃହ ଚାଲିଥିବା ବେଳେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କେତେଜଣ ନେତାଙ୍କ ବିଷୟରେ ବକ୍ତବ୍ୟ ରଖିଥିଲେ। ଯେଉଁମାନଙ୍କ ବିଷୟରେ କାଡାମ କହିଥିଲେ, ସେମାନେ କେହି ଗୃହରେ ବର୍ତ୍ତମାନ ସଦସ୍ୟ ହୋଇ ନ ଥିବାରୁ ସେହି ବିଷୟ ବିବରଣୀରୁ ବାଦ୍‌ ଦେବା ସହିତ ଗଣମାଧ୍ୟମରେ ପ୍ରକାଶ ନ କରିବାକୁ ବାଚସ୍ପତି ରୁଲିଂ ଦେଲେ। ଏହାପରେ ୨୦୨୬-୨୭ ଆର୍ଥିକ ବର୍ଷ ବଜେଟ ଉପରେ ଆଲୋଚନା କରାଯିବ ଏବଂ ବିରୋଧୀ ଦଳର ସଦସ୍ୟମାନେ ନିଜ ସ୍ଥାନକୁ ଯାଇ ଏଥିରେ ଭାଗ ନିଅନ୍ତୁ ବୋଲି ବାଚସ୍ପତି କହିଥିଲେ। ବିରୋଧୀ କିନ୍ତୁ ବାଚସ୍ପତିଙ୍କ କଥା ନ ଶୁଣି ଚାଷୀ ସମସ୍ୟା ବିଷୟରେ ପ୍ରବଳ ନାରାବାଜି ଜାରି ରଖିଥାଆନ୍ତି। ଏହିପରି ହୋହଲ୍ଲା ଭିତରେ ବାଚସ୍ପତି ପଚାରିଥିଲେ, ବଜେଟ ଆଲୋଚନା ଉପରେ ବିଜେଡି ଏବଂ କଂଗ୍ରେସ ସଦସ୍ୟମାନେ ନିଜର ବକ୍ତବ୍ୟ ରଖିବେ ନା ନାହିଁ। ବିରୋଧୀ ଯେତେବେଳେ କିଛି ଶୁଣି ନ ଥିଲେ, ବାଚସ୍ପତି ଭାଜପା ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଭାଷଣ ଦେବା ପାଇଁ କହିଥିଲେ।
ଏହି ଅବସରରେ ଟଙ୍କଧର କହିଥିଲେ, ବିରୋଧୀ ବାହାରେ ଯାହା କହୁଛନ୍ତି, ସେସବୁ ବିଷୟରେ ଗୃହରେ ଆଲୋଚନାରେ ଭାଗ ନେଇ କହିଲେ ଭଲ ହୁଅନ୍ତା। ବିରୋଧୀ ଦଳର ସବୁବେଳେ ମର୍ଯ୍ୟାଦା ରହିଛି। ସେମାନେ ବଜେଟ ଆଲୋଚନାରେ ଭାଗ ନ ନେଇ ରାଜ୍ୟର କାହିଁକି ହାନି କରୁଛନ୍ତି। କେତେଜଣ ବିଜେଡି ନେତା ଗୃହରେ ବିରୋଧ କରୁଛନ୍ତି, ହେଲେ ଲୁଚିକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ବଜେଟକୁ ପ୍ରଶଂସା କରୁଛନ୍ତି। ସେଠାକୁ ଯେତେବେଳେ ଯାଉଛନ୍ତି, କହୁଛନ୍ତି ବାଧ୍ୟହୋଇ ବିରୋଧ କରିବାକୁ ପଡୁଛି। ବିଜେଡିରେ ବହୁ ବରିଷ୍ଠ ନେତା ନିଜର ଜ୍ଞାନ ରଖିଛନ୍ତି। ସେମାନେ ତାଙ୍କର ପ୍ରସ୍ତାବ ଦେଲେ ସରକାର କିଛି ନିଜର ଭୁଲ୍‌ଭଟକା ଜାଣିବେ ଏବଂ ତାକୁ ପରିବର୍ତ୍ତନ କରିପାରିବେ। ସେମାନେ ୨୪ ବର୍ଷ ରାଜ୍ୟରେ ଏମିତି କାମ କରିଛନ୍ତି ଯେ, ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା ନେବା ଲାଗି ଆଉ ଜଣେ କେତେବେଳେ ମରିବେ ସେଥିଲାଗି ଅପେକ୍ଷା କରିବାକୁ ପଡୁଥିଲା ବୋଲି ଟଙ୍କଧର ଆଣିଛନ୍ତି। ଭାଜପା ସଦସ୍ୟ ମାନସ ଦତ୍ତ ମଧ୍ୟ ପୂର୍ବ ସରକାର ଏବଂ ବର୍ତ୍ତମାନର ବିରୋଧୀ ଦଳ ଉପରେ ପ୍ରବଳ ବର୍ଷିଥିଲେ। କହିଥିଲେ ଭାଜପା ଶାସନରେ କେତୋଟି ବିଶ୍ୱବିଦ୍ୟାଳୟ ଖୋଲିଲାଣି ତାହା ଦେଖନ୍ତୁ। ଏହାପରେ ବିଧାୟିକା ସୀମାରାଣୀ ନାଏକ ମଧ୍ୟ ବିରୋଧୀ ଦଳକୁ ଟାର୍ଗେଟ କରି ବଜେଟକୁ ପ୍ରଶଂସା କରିଥିଲେ। ଏହି ସମୟରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କିଛି କହିବା ପାଇଁ ବାଚସ୍ପତିଙ୍କୁ ପଏଣ୍ଟ ଅଫ ଅର୍ଡରରେ ସୁଯୋଗ ମାଗିବା ସତ୍ତ୍ୱେ ବାଚସ୍ପତି ତାଙ୍କ କଥା ଶୁଣି ନ ଥିଲେ। ଏହାପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ ଏବଂ ଅନ୍ୟ ବିରୋଧୀ ସଦସ୍ୟମାନେ ରାଗିଯାଇଥିଲେ। ପ୍ରସନ୍ନ ଉଚ୍ଚସ୍ବରରେ କହୁଥାଆନ୍ତି, ଗୃହ ଯେମିତି ଚାଲିଛି ତାହା ଠିକ୍‌ ନୁହେଁ। ଚାଷୀ ପ୍ରସଙ୍ଗରେ କ’ଣ କହିବାକୁ ଚାହିଁଲେ ସୁଯୋଗ ଦିଆଯିବନି। ଚାଷୀ ସମସ୍ୟା କ’ଣ ଗୁରୁତ୍ୱପୂର୍ଣ୍ଣ ବିଷୟ ନୁହେଁ କି ବୋଲି ପ୍ରଶ୍ନ କରିଥିଲେ। ଏହାପରେ ୪ଟା ୩୯ ମିନିଟ୍‌ ସମୟରେ ବାଚସ୍ପତି ୧୫ ମିନିଟ୍‌ ପାଇଁ ମୁଲତବୀ ଘୋଷଣା କରିଥିଲେ। ୪ଟା ୫୪ରେ ଆଉଥରେ ୧୫ ମିନିଟ୍‌ ପାଇଁ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ଏହାପରେ ୫ଟା ୯ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ପୂର୍ବଭଳି ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ତଳ ପର୍ଯ୍ୟନ୍ତ ଯାଇ ହୋହଲ୍ଲା, ନାରାବାଜି ଆରମ୍ଭ କରିଦେଲେ। ତାହାରି ଭିତରେ ବାଚସ୍ପତି ଭାଜପା ସଦସ୍ୟ ଦୁଷ୍ମନ୍ତ କୁମାର ସ୍ବାଇଁ ଏବଂ ବିଭୂତି ଭୂଷଣ ପ୍ରଧାନଙ୍କୁ ବକ୍ତବ୍ୟ ଦେବାକୁ କହିଥିବା ବେଳେ ସେମାନେ ଅନ୍ୟମାନଙ୍କ ଭଳି ବଜେଟକୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ। ୫ଟା ୨୯ ମିନିଟ୍‌ରେ ବାଚସ୍ପତି ଗୃହକୁ ମଙ୍ଗଳବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପୂଜା ମଣ୍ଡପରେ ପୂର୍ବତନ ବିଧାୟକ, ଯୁବଗୋଷ୍ଠୀଙ୍କୁ ଭେଟି…

ଗଞ୍ଜାମ,୧୭ା୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସାହିରେ ଧୂମ୍‌ଧାମରେ ଚାଲିଛି ଅଗ୍ର୍ୟ ପୂଜ୍ୟ ଗଜାନନଙ୍କ ପୂଜା। ଆକର୍ଷଣୀୟ ମେଢ଼ ଅତ୍ୟାଧୁନିକ ଆଲୋକ ମାଳାରେ ସହର ଝଲସି ଉଠୁଛି।…

ହୃଦ୍‌ଘାତରେ ଚାଲିଗଲା ପୂର୍ବତନ ସରପଞ୍ଚଙ୍କ ଜୀବନ

ଭବାନୀପାଟଣା,୧୭ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ରାଜପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଶିବ ପ୍ରସାଦ ଭୋଇ (୬୩)ଙ୍କ ବୁଧବାର ବିଳମ୍ବିତ ରାତିରେ ହୃଦ୍‌ଘାତରେ ନିଜ…

ଝଡ଼ବାତ୍ୟାକୁ ରୋକିବ ଲୁଣା ହେନ୍ତାଳ ଜଙ୍ଗଲ, ୧୯୯୯ ମହାବାତ୍ୟାରେ…

ମହାକାଳପଡ଼ା,୧୭ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗର ଉପକୂଳ କେନ୍ଦ୍ରାପଡ଼ା ଜିଲା ପ୍ରାକୃତିକ ବିପର୍ଯ୍ୟୟ ଅଞ୍ଚଳ ଭାବେ ଜଣାଶୁଣା। ଏହି ଉପକୂଳବର୍ତ୍ତୀ ନଦୀ ସମୁଦ୍ର ଧାରେ ଧାରେ ପ୍ରାକୃତିକ…

ଫୁଲ ତୋଳିବାକୁ ଯାଇଥିଲେ ଆଦିତ୍ୟ, ଛାତରୁ ଖସି ଚାଲିଗଲା ଜୀବନ

ନୀଳଗିରି,୧୭।୯(ପ୍ରଶାନ୍ତ କୁମାର ବିଶ୍ବାଳ): ପୂଜା ପାଇଁ ଫୁଲ ତୋଳିବାକୁ ଯାଇଥିବା ବେଳେ ଘଟିଗଲା ଏକ ବଡ ଅଘଟଣ । ଛାତ ଉପରୁ ଖସିପଡ଼ି ଚାଲିଗଲା ଜୀବନ। ବାଲେଶ୍ୱର…

ପିଏମ ମୋଦିଙ୍କ ଜନ୍ମଦିନରେ ରାହୁଲଙ୍କ ଶୁଭେଚ୍ଛା, ବିଜୟ କହିଲେ- ମଜବୁତ ଭାରତ ପାଇଁ…

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ବିଭିନ୍ନ ରାଜନୈତିକ ନେତାଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ୍ସରେ ପୋଷ୍ଟ…

୧୦୦% ଟାରିଫ ଧମକରେ ନଇଁବନି ଭାରତ! ଟ୍ରମ୍ପଙ୍କୁ ଦେଲା କଡ଼ା ଜବାବ, କହିଲା…

ନୂଆଦିଲ୍ଲୀ, ୧୭।୯: ରୁଷିଆ ଓ ଇରାନ ବିରୋଧରେ ନୂଆ ପ୍ରତିବନ୍ଧକ ବ୍ୟବସ୍ଥା ସମ୍ପର୍କିତ ଆମେରିକୀୟ ଆଇନକୁ ନେଇ ଭାରତ ସତର୍କ ନଜର ରଖିଛି। ଆମେରିକାର ସଂସଦରେ ଏ…

ଏସିଆ କପ୍‌ ପରେ ହଠାତ୍‌ ଇସ୍ତଫା ଦେଲେ ଅଧିନାୟକ, ନିଷ୍ପତ୍ତିରେ ବୋର୍ଡ ଚକିତ

ଢାକା: ବାଂଲାଦେଶ ମହିଳା କ୍ରିକେଟ ଦଳରେ ହଠାତ୍‌ ହଲଚଲ ସୃଷ୍ଟି ହୋଇଛି। ଏସିଆ କପ୍‌ ୨୦୨୬ ଶେଷ ହେବା ପରେ ନିଗାର ସୁଲତାନା ଟି-୨୦ ଦଳର ଅଧିନାୟକ…

ଗଜକେସରୀ ଯୋଗ: ଅକ୍ଟୋବର ଆରମ୍ଭରୁ ୩ ରାଶିକୁ ମିଳିବ ବମ୍ଫର ଫାଇଦା, ମାଲାମାଲ ହେବା ସହ ଚାକିରିରେ ବଡ଼ ପ୍ରମୋଶନ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗଜକେସରୀ ଯୋଗକୁ ଅତ୍ୟନ୍ତ ଶୁଭ ଓ ପ୍ରଭାବଶାଳୀ ଯୋଗ ଭାବେ ମାନ୍ୟତା ଦିଆଯାଏ। ଜ୍ୟୋତିଷୀୟ ବିଶ୍ୱାସ ଅନୁସାରେ, ଏହି ଯୋଗ ଶକ୍ତି, ମାନ-ସମ୍ମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?