Categories: ବାଣିଜ୍ୟ

ଅକ୍ଷୟ ଶକ୍ତିରେ ୫୧ହଜାର କୋଟି ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୨।୧୨: ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ (ଏମ୍‌ଆଇଓସି)-୨୨ର ୩ୟ ସଂସ୍କରଣର ପ୍ରଥମ ଦିନରେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଅକ୍ଷୟ ଶକ୍ତି ସମ୍ପର୍କିତ ଏକ କର୍ମଶାଳା ମଧ୍ୟ ଏମ୍‌ଆଇଓସିର ବିଜ୍‌ନେସ୍‌ ଲିଡର ଅଧିବେଶନରେ ଆୟୋଜିତ ହୋଇଥିଲା। ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଅକ୍ଷୟ ଶକ୍ତି ନୀତି ଘୋଷଣା କରିଛନ୍ତି। ‘ସବୁଜ ଶକ୍ତି ଅଭିମୁଖେ’ଶୀର୍ଷକ ବକ୍ତୃତାମାଳାରେ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ପ୍ରାୟ ୧୦ହଜାର ମେଗାଓ୍ବାଟ୍‌ ବୃଦ୍ଧି ପାଇଁ ଉକ୍ତ ନୀତିରେ ବ୍ୟବସ୍ଥା ରହିଛି। ବିଭିନ୍ନ ଅକ୍ଷୟ ଶକ୍ତି ପ୍ରକଳ୍ପର ବିକାଶ ନିମନ୍ତେ ରାଜ୍ୟ ସରକାର ରିହାତି ବ୍ୟବସ୍ଥା ପ୍ରଚଳନ କରାଇଛନ୍ତି। ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ବିଜ୍‌ନେସ୍‌ ଲିଡର ଅଧିବେଶନରେ ଅକ୍ଷୟ ଶକ୍ତି ସମ୍ପର୍କରେ ବିସ୍ତୃତ ମତ ଉପସ୍ଥାପନା କରିଥିଲେ। ଏହି ଅବସରରେ ଶକ୍ତି ବିଭାଗ ପକ୍ଷରୁ ଏନ୍‌ଟିପିସି, ଏସ୍‌ଜେଭିଏନ୍‌ଏଲ୍‌ ଓ ଏନ୍‌ଏଲ୍‌ସି ସହ ଗ୍ରୀଡ୍‌କୋର ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି। ଏମଓୟୁ ଅନୁଯାୟୀ ମୋଟ ୫୧ହଜାର କୋଟି ଟଙ୍କାର ପୁଞ୍ଜିନିବେଶର ବ୍ୟବସ୍ଥା ଥିବାବେଳେ ପ୍ରାୟ ୧୨୦୦ ଲୋକଙ୍କୁ ପ୍ରତ୍ୟକ୍ଷ ଓ ୨୬୦୦ ଲୋକଙ୍କୁ ପରୋକ୍ଷ ନିଯୁକ୍ତି ସୁଯୋଗ ମିଳିବ।

Share