Categories: ଫୁରସତ

୫୦୦୦ ଟଙ୍କିଆ ପାନ, ଥରେ ଖାଇଲେ…

ଦିନେ ଅମିତାଭ ବଚ୍ଚନଙ୍କ ‘ଖଇକେ ପାନ ବନାରସଓ୍ବାଲା’ ଗୀତରୁ ବନାରସ୍‌ର ପାନ ପ୍ରସିଦ୍ଧ ହୋଇଯାଇଥିଲା। ହେଲେ ଏବେ ଆଉ ଏକ ପାନ ଲୋକପ୍ରିୟତା ହାସଲ କରିବାରେ ଲାଗିଛି। ତେବେ ସେ ବନାରସର ନୁହେଁ, ବରଂ ମହାରାଷ୍ଟ୍ର, ଔରଙ୍ଗାବାଦର। ଏହି ପାନର ବିଶେଷତ୍ୱ ହେଉଛି ଯେ, ଏହାକୁ ଖାଇବା ପାଇଁ ଆପଣଙ୍କୁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏକ ରିପୋର୍ଟ ମୁତାବକ ଏହି ପାନର ମୂଲ୍ୟ ହେଉଛି ୫୦୦୦ଟଙ୍କା। ଏତେ ଟଙ୍କା ଜାଣି ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଔରଙ୍ଗାବାଦର ତାରା ପାନ ସେଣ୍ଟରରେ ଏହି ପାନ ଉପଲବ୍ଧ ହେଉଛି। କେବଳ ଏହି ପାନ ନୁହେଁ, ଏଠାରେ ଆହୁରି ୫୦ ପ୍ରକାରର ପାନ ମିଳୁଛି। ଏଠି ୩୦୦୦, ୨୦୦୦ଟଙ୍କିଆ ପାନ ବି ମିଳେ। ଏଠାକାର ସବୁଠୁ ମହଙ୍ଗା ପାନର ମୂଲ୍ୟ ହେଉଛି ୫୦୦୦ଟଙ୍କା। ଏହାକୁ ‘କୋହିନୁର ପାନ’ ବି କୁହାଯାଏ। ୩୦୦୦ଟଙ୍କିଆ ପାନ ‘କପଲ୍‌ ପାନ’ ଓ ୨୦୦୦ଟଙ୍କିଆ ପାନ ‘ହନିମୁନ ପାନ’ କୁହାଯାଏ। ଉକ୍ତ ପାନ ଦୋକାନର ମାଲିକ ମହମ୍ମଦ ସର୍ଫୁଦ୍ଦିନ ସିଦ୍ଦିକି ଓରଫ ସୈଫୁ ଚାଚା ଏହି ତିନି ଦାମୀ ପାନକୁ ‘ହନିମୁନ ପ୍ୟାକେଜ୍‌ ପାନ’ ନାମରେ ବିକ୍ରି କରନ୍ତି। ଏସବୁ ପାନର ବିଶେଷତ୍ୱ ହେଉଛି ଏହାର ସ୍ବତନ୍ତ୍ର ପ୍ୟାକେଜିଂ। ଏଥିରେ ସୁନା ଓ ରୁପାର ବ୍ୟବହାର ହୁଏ। ତା’ସହ ଏଥିରେ ମହୁ, ସ୍ବାଦଯୁକ୍ତ ଚଟଣି, ଧଳା ମୁଶଳି, ଜାଫରାନ ଓ ଅନେକ ଜଡିବୁଟିର ବ୍ୟବହାର କରାଯାଏ। ସର୍ଫୁଦ୍ଦିନ କହନ୍ତି, ‘ଆଗରୁ ସବୁଠୁ ଦାମୀ ପାନର ମୂଲ୍ୟ ୧୦,୦୦୦ଟଙ୍କା ଥିଲା। ହେଲେ ଅଧିକ ମୂଲ୍ୟ ପାଇଁ ତା’ର ଚାହିଦା ବେଶି ନ ରହିବାରୁ ମୂଲ୍ୟ କମାଇ ୫୦୦୦ଟଙ୍କା କରିଦେଲି। ବିବାହ ସମୟରେ ଏହି ପାନର ଭଲ ବିକ୍ରି ହେଉଛି।’

Share