Categories: ଫୁରସତ

୫ ହଜାର କାର୍‌ ଚୋରି କରିଛନ୍ତି ଅଟୋ ଚାଳକ

ନୂଆଦିଲ୍ଲୀ: ୨୭ ବର୍ଷ ଧରି କାର୍‌ ଚୋରି, ଦିଲ୍ଲୀ, ମୁମ୍ବାଇ ସମେତ ଭାରତର ବିଭିନ୍ନ ସ୍ଥାନରେ ସମ୍ପତ୍ତି, ୩ ସ୍ତ୍ରୀଙ୍କ ସହ ବିଳାସପୂର୍ଣ୍ଣ ଜୀବନ କାଟୁଥିବା ଜଣେ ଅଟୋ ରିକ୍ସା ଚାଳକ ଦିଲ୍ଲୀ ପୋଲିସ ହାତରେ ଧରାପଡ଼ିଛନ୍ତି। ୧୯୯୫ରୁ ଅଦ୍ୟାବଧି ୫ ହଜାରରୁ ଅଧିକ କାର୍‌ ଚୋରି କରିଥିବା ଅନିଲ ଚୌହାନ(୫୨)ଙ୍କୁ ପୋଲିସ ଭାରତର ସବୁଠୁ ବଡ଼ କାର୍‌ ଚୋର ବୋଲି କହିଛି। ସୂଚନା ପାଇ ସେଣ୍ଟ୍ରାଲ ଦିଲ୍ଲୀ ପୋଲିସର ସ୍ପେଶାଲ ଷ୍ଟାଫ୍‌ ତାଙ୍କୁ ଦେଶ ବନ୍ଧୁ ଗୁପ୍ତା ରୋଡ୍‌ରୁ ଗିରଫ କରିଛି। ସେ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣରେ ମଧ୍ୟ ସମ୍ପୃକ୍ତ ଥିବା ପୋଲିସ କହିଛି। ଉତ୍ତରପ୍ରଦେଶରୁ ଅସ୍ତ୍ରଶସ୍ତ୍ର ନେଇ ଉତ୍ତରପୂର୍ବ ରାଜ୍ୟରେ ନିଷିଦ୍ଧ ଘୋଷଣା କରାଯାଇଥିବା ସଙ୍ଗଠନଗୁଡ଼ିକୁ ଯୋଗାଉଥିଲେ ବୋଲି ଜଣାପଡ଼ିଛି।
ଅନୁସାରେ, ଅନିଲ ପୂର୍ବରୁ ଦିଲ୍ଲୀର ଖାନ୍‌ପୁର ଅଞ୍ଚଳରେ ଅଟୋ ଚଳାଉଥିଲେ। ୧୯୯୫ ପରେ ସେ କାର୍‌ ଚୋରି ଆରମ୍ଭ କରିଥିଲେ। ସେହି ସମୟରେ ସେ କେବଳ ମାରୁତି ୮୦୦ ଗାଡ଼ିକୁ ଟାର୍ଗେଟ କରୁଥିଲେ। ଭାରତର ବିଭିନ୍ନ ସ୍ଥାନରୁ କାର୍‌ ଚୋରି କରି ସେ ସେଗୁଡ଼ିକୁ ଜମ୍ମୁ-କଶ୍ମୀର, ଉତ୍ତର ପୂର୍ବ ରାଜ୍ୟ ସମେତ ଦେଶ ବାହାରକୁ ପଠାଇଦେଉଥିଲେ। ଚୋରି ବେଳେ ସେ ଅନେକ ଟାକ୍ସି ଡ୍ରାଇଭରଙ୍କୁ ମଧ୍ୟ ହତ୍ୟା କରିଛନ୍ତି। ପରେ ସେ ଆସାମ ଯାଇ ସେଠାରେ ବସବାସ କରୁଥିଲେ। ଚୋରି ଅର୍ଥରେ ସେ ଅନେକ ସ୍ଥାନରେ ଜମି ଓ ଅନ୍ୟାନ୍ୟ ସମ୍ପତ୍ତି କିଣିଛନ୍ତି। ତାଙ୍କ ନାଁରେ ୧୮୦ ମାମଲା ରହିଛି। ୨୦୧୫ରେ ତାଙ୍କୁ ଗିରଫ କରାଯାଇଥିବାବେଳେ ୫ ବର୍ଷ ଜେଲ୍‌ରେ ରହି ମୁକୁଳିଥିଲେ। ତାଙ୍କର ୩ ସ୍ତ୍ରୀ ଓ ୭ ସନ୍ତାନ ରହିଥିବା ପୋଲିସ କହିଛି। ଅନିଲଙ୍କଠାରୁ ୬ ପିସ୍ତଲ ଏବଂ ୭ କ୍ୟାଟ୍ରିଜ୍‌ ଜବତ କରାଯାଇଛି। ଆସାମ ସରକାରଙ୍କ ସେ ଜଣେ କଣ୍ଟ୍ରାକ୍ଟର ରହିବା ସହ ଅନେକ ସ୍ଥାନୀୟ ନେତାଙ୍କ ସହ ସମ୍ପର୍କରେ ଥିଲେ ବୋଲି ଜଣାପଡ଼ିଛି।

Share