ନାରାୟଣପାଟଣାରେ ୫-ଟି ସଚିବ

କୋରାପୁଟ/ନାରାୟଣପାଟଣା,୪ା୨(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କୋରାପୁଟ ଗସ୍ତରେ ଆସି ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତା, ପାନୀୟ ଜଳ ସମସ୍ୟା ଦୂର କରିବାକୁ କୋଟି କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ତେବେ ଆଜି ଏକ ସ୍ବତନ୍ତ୍ର ବିମାନ ଯୋଗେ ୫-ଟି ସଚିବ ଭି.କେ ପାଣ୍ଡିଆନ ଏବଂ ବରିଷ୍ଠ ପ୍ରାଶାସନିକ ଅଧିକାରୀ କୋରାପୁଟ ଜିଲାର ଉପାନ୍ତ ଅଞ୍ଚଳ ନାରାୟଣପାଟଣାରେ ପହଞ୍ଚି ଥିଲେ। ୫-ଟି ସଚିବ ପ୍ରଥମେ ନାରାୟଣପାଟଣାର ୫୦୦ ବର୍ଷର ଐତିହାସିକ ତଥା ପୁରାତନ ଜଗନ୍ନାଥ ମନ୍ଦିର ବୁଲି ଦେଖି ଥିଲେ ଓ ଅର୍ଦ୍ଧ ନିର୍ମିତ ନୂତନ ମନ୍ଦିରକୁ କେମିତି ଖୁବ୍‌ଶୀଘ୍ର କାମ ହେବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଜିିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ପାଣ୍ଡିଆନ ଦୀର୍ଘ ୨୩ ବର୍ଷ ଧରି ଅପେକ୍ଷା କରି ଆସୁଥିବା ୧୮୪ କୋଟି ୪୪ ଲକ୍ଷ ଟଙ୍କାର ଚିନ୍ତଗୁଡ଼ାର ଝଞ୍ଜାବତୀ ବ୍ୟାରେଜ ପରିଦର୍ଶନ କରିଛନ୍ତି। ଦୁଇ ବର୍ଷ ଭିତରେ କାର୍ଯ୍ୟ ଶେଷ ପାଇଁ ନିର୍ଦ୍ଦେଶ ଦେଇ ଦଣ୍ଡାବାଡ଼ି ସ୍କୁଲ, ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଭ୍ରମଣ କରି ମଧ୍ୟାହ୍ନଭଜନ, ସ୍କୁଲ କୋଠା ବୁଲି ଦେଖିଥିଲେ।