Categories: ଫୁରସତ

ପ୍ରାଣୀଙ୍କ ପରି ଚାଲୁଛନ୍ତି ୫ ଭଉଣୀ ଭାଇ

ବେଳେ ବେଳେ ଏମିତି ସବୁ ଘଟଣା ଘଟେ, ଯାହାକୁ ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବନି। ସେମିତି ଏକ ଘଟଣା ତୁର୍କୀରେ ଦେଖିବାକୁ ମିଳେ। ଏଠାକାର ଏକ ପରିବାରର ସବୁ ସଦସ୍ୟ ଚାରିଗୋଡ଼ରେ ଚାଲୁଥିବା କୌଣସି ପ୍ରାଣୀଙ୍କ ପରି ଉଭୟ ଦୁଇ ହାତ ଓ ଦୁଇ ଗୋଡ଼ ସାହାଯ୍ୟରେ ଚାଲନ୍ତି। ଲାଗେ ସତେ ଯେମିତି ହଜାର ହଜାର ବର୍ଷ ତଳେ ଘଟିଥିବା ମାନବ ବିକାଶର ପ୍ରଭାବ ଏମାନଙ୍କ ଉପରେ ପଡି ନାହିଁ। ସେଥିପାଇଁ ତ ତୁର୍କୀର କିଛି ଡାକ୍ତର ପ୍ରଥମେ ପ୍ରଥମେ ଏହି ଘଟଣାକୁ ବ୍ୟାକ୍‌ଓ୍ବାର୍ଡ ଇଭୋଲ୍ୟୁଶନ୍‌ ନାମ ଦେଇଥିଲେ। ତୁର୍କୀର ଏକ ଛୋଟ ଗାଁରେ ରହୁଥିବା ରେସିତ୍‌ ଓ ହୈତିସ୍‌ ଉଲାସଙ୍କ ପରିବାରର ୫ ଜଣ ଦୀର୍ଘ ବର୍ଷ ଧରି ଏଭଳି ଚାଲୁଛନ୍ତି। କିନ୍ତୁ ଏଇ ଘଟଣା ସାରା ଦୁନିଆର ନଜରଠାରୁ ଦୂରରେ ଥିଲା। ୨୦୦୫ର କଥା ଜଣେ ବ୍ରିଟିଶ ବୈଜ୍ଞାନିକ ତୁର୍କୀର ପ୍ରଫେସର ନିକୋଲସ୍‌ ହମ୍ଫରିଙ୍କ ଅପ୍ରକାଶିତ ପେପର୍‌କୁ ଯେତେବେଳେ ଦେଖିଲେ ତାଙ୍କ ହୋସ୍‌ ଉଡିଯାଇଥିଲା। ଏଥିରେ ପ୍ରଫେସର୍‌ ହମ୍ଫରି, ଉଲାସଙ୍କ ପରିବାର ସମ୍ପର୍କରେ ଲେଖିଥିଲେ।

ଯେଉଁଥିରେ ଉଲ୍ଲେଖଥିଲା ଯେ, ଉଭୟ ରେସିତ ଓ ଉଲାସ ସ୍ବାଭାବିକ ମଣିଷ ଭଳି ଚାଲୁଥିବାବେଳେ ତାଙ୍କର ୫ ଜଣ ସନ୍ତାନ କ୍ୱାଡ୍ରୁପେଡାଲ ଲୋକୋମୋସନ୍‌ର ସାହାରା ନେଇ ଚାଲନ୍ତି। ଅର୍ଥାତ ସେମାନେ କୌଣସି ପ୍ରାଣୀ ପରି ଚାରି ଗୋଡରେ ଚାଲନ୍ତି। ସେମାନେ ଏମିତି ଅବସ୍ଥାରେ ଅନେକ କି.ମି. ପର୍ଯ୍ୟନ୍ତ ଚାଲିପାରନ୍ତି। ଏସବୁ ଜାଣିବା ପରେ ବୈଜ୍ଞାନିକଙ୍କର ଉତ୍ସୁକତା ବଢିଥିଲା ସେମାନେ ଏଭଳି କ’ଣ ପାଇଁ ଚାଲୁଛନ୍ତି ଜାଣିବା ପାଇଁ। ଅନେକ ଗବେଷଣା ପରେ ସେମାନେ ଜାଣିବାକୁ ପାଇଲେ ଯେ, ଏମାନେ ଜେନେଟିକ ସମସ୍ୟାରେ ଆକ୍ରାନ୍ତ ।

ଏଇ ଭାଇ ଭଉଣୀଙ୍କର କୋଜେନେଟିଲ ବ୍ରେନ୍‌ ଇମ୍ପେୟରମେଣ୍ଟ ଏବଂ ସେରିବେଲର୍‌ ଏଣ୍ଟାକ୍ସିଆ ନାମକ ମସ୍ତିଷ୍କଜନିତ ସମସ୍ୟା ବି ରହିଛି। ସାଧାରଣତଃ ଏହି ସ୍ଥିତିରେ ଦୁଇ ଗୋଡ଼ରେ ସନ୍ତୁଳନ ରକ୍ଷା କରିବା ବହୁତ କଷ୍ଟକର। ସେଥିପାଇଁ ସେମାନେ ଦୁଇ ହାତର ସାହାରା ନେଇ ଚାଲନ୍ତି। ତେବେ ଏମାନଙ୍କର ଏଭଳି ସ୍ଥିତିକୁ ଦେଖି ଗାଁ ଲୋକେ ତାଙ୍କୁ ଅନେକ କଥା କହିଛନ୍ତି। ଏମିତିକି ସେମାନଙ୍କୁ ପଥର ମାରିବା ସହ ଗାଳି ଗୁଲଜ ବି କରିଛନ୍ତି। ଫଳରେ ଏହି ପାଞ୍ଚ ଭଉଣୀ ଭାଇ ସ୍କୁଲ ବି ଯାଇପାରିଲେ ନାହିଁ। ତଥାପି ସେମାନେ ହାରି ନ ଯାଇ ସଂଘର୍ଷ କରି ଚାଲିଛନ୍ତି।

 

 

Share