୫ମାସ ବିତିଲା, ଅପହୃତାଙ୍କ ପତ୍ତା ମିଳୁନି: ଉଦ୍ଧାର ପାଇଁ ନିବେଦନ କଲେ ଅଜା

ମହାକାଳପଡ଼ା, ୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଥା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ବତୀଘର ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଗତ ମାର୍ଚ୍ଚ ୧୧ତାରିଖ ରାତିରେ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଅପହୃତାଙ୍କ ଅଜା ନାରାୟଣ ମାଇତି ଥାନାରେ ଅଭିଯୋଗ କରିଥିଲେ। ଏତଲା ଆଧାରରେ ଥାନାରେ ଏକ ମାମଲା(ନଂ.୩୪/୨୬)ରୁଜୁ ହୋଇଥିଲା। ଅପରପକ୍ଷରେ ଘଟଣାକୁ ନେଇ ନାରାୟଣ ଜିଲା ଶିଶୁ କଲ୍ୟାଣ ସମିତି ନିକଟରେ ମଧ୍ୟ ଫେରାଦ ହୋଇଥିଲେ। ଇତିମଧ୍ୟରେ ଏହି ଘଟଣାକୁ ୫ମାସରୁ ଊର୍ଦ୍ଧ୍ୱ ସମୟ ବିତିଯାଇଛି। ଅପହୃତା ନାତୁଣୀର ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି ନାରାୟଣ।
ସୂଚନା ଅନୁସାରେ ନାରାୟଣଙ୍କ ଝିଅଙ୍କୁ ସେହି ଅଞ୍ଚଳର ଜଣେ ଯୁବକଙ୍କୁ ୨୦୦୮ରେ ବିବାହ କରିଥିଲେ। ତାଙ୍କର ଏକ ଝିଅ ଓ ପୁଅ ଜନ୍ମ ହୋଇଥିଲେ। ପରେ ତାଙ୍କ ଝିଅକୁ ମାରି ଦେଇଥିବା ନେଇ ନାରାୟଣ ଜ୍ବାଇଁଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ସାନଭାଇଙ୍କ ଝିଅକୁ ଜ୍ବାଇଁ ପୁନଃବିବାହ କରିଥିଲେ। ଜ୍ୱାଇଁଙ୍କ ଦ୍ୱିତୀୟ ବିବାହ ପରଠାରୁ ନାରାୟଣ ଓ ସୁବାସଙ୍କ ପରିବାର ମଧ୍ୟରେ ବିବାଦ ଲାଗିରହିଥିଲା। ଚଳିତବର୍ଷ ନାତୁଣୀ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ। ପରୀକ୍ଷା ପରେ ମାର୍ଚ୍ଚ ୧୧ରାତିରେ ଏକ ବାଇକ୍‌ରେ ବସାଇ ସେହି ଅଞ୍ଚଳର ରବି ନାମକ ଜଣେ ଯୁବକ ତାଙ୍କ ନାତୁଣୀଙ୍କୁ ଅପହରଣ କରିଥିଲେ। ଅପହରଣ ପଛରେ ନାବାଳିକାଙ୍କ ବାପାଙ୍କ ହାତ ଥିବା ନାରାୟଣ ଏତଲାରେ ଦର୍ଶାଇଥିଲେ। ଏ ନେଇ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ଅନିତା ସ୍ବାଇଁଙ୍କୁ ପଚାରିବାରୁ ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 

Share