ମୋହନା,୨୭।୮( ମନ୍ମଥ ମିଶ୍ର ): ଚାକିରିର ପ୍ରଲୋଭନ ଦେଖାଇ ଓଡ଼ିଶା ବାହାରକୁ ନାବାଳିକାଙ୍କୁ ଚାଲାଣ ଅଭିଯୋଗ ଘଟଣାରେ ଗଜପତି ପୋଲିସକୁ ମିଳିଛି ବଡ଼ ସଫଳତା। ତେଲେଙ୍ଗାନାର ହାଇଦ୍ରାବାଦରୁ ୫ ଜଣ ନାବାଳିକାଙ୍କୁ ଅଡବା ପୋଲିସ ଉଦ୍ଧାର କରିଛି । ରାୟଗଡ଼ା -କନ୍ଧମାଳ – ଗଜପତି ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ନାବାଳିକାମାନଙ୍କୁ ଚାକିରି ଦେବା ନାମରେ ପ୍ରଲୋଭନ ଦେଖାଇ ଚାଲାଣ କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଏନେଇ ଅଡବା ଅଞ୍ଚଳର ଜଣେ ମହିଳା ସରପଞ୍ଚଙ୍କ ଅଭିଯୋଗ ଆଧାରରେ ଅଡବା ଥାନା କେସ ନଂ – ୧୮୦/୨୬ରେ ଚଳିତ ମାସ ୧୭ରେ ମାମଲା ରୁଜୁ ହୋଇଥିଲା।
ରା. ଉଦୟଗିରି ଏସ୍ଡିପିଓ ରାକେଶ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ବେଳେ ନାବାଳିକାମାନଙ୍କୁ ହାଇଦ୍ରାବାଦ ନିଆଯାଇଥିବା ସୂଚନା ପାଇ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଅଡ଼ବା ଥାନା ସହକାରୀ ଅଧିକାରୀ ନଳିନୀ କହଁରଙ୍କ ନେତୃତ୍ୱରେ କିଛି କର୍ମଚାରୀଙ୍କୁ ହାଇଦ୍ରାବାଦ ପଠାଇଥିଲା। ସେମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଓ ଯାଞ୍ଚ ପରେ ୫ ନାବାଳିକାଙ୍କୁ ଏକ ନିର୍ଦ୍ଧିଷ୍ଟ ସ୍ଥାନରୁ ଠାବ କରି ସୁରକ୍ଷିତ ଭାବେ ଉଦ୍ଧାର କରିଛି । ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଉଦ୍ଧାର ନାବାଳିକାମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ । ସମସ୍ତେ ଆଦିବାସୀ ସଂପ୍ରଦାୟର। ସେମାନଙ୍କ ମଧ୍ୟରେ କନ୍ଧ ଓ ସଉରା ସମ୍ପ୍ରଦାୟର ନାବାଳିକା ଥିବା ଜଣାପଡ଼ିଛି। ସମସ୍ତ ନାବାଳିକାଙ୍କୁ ୧୫ ରୁ ୨୦ ହଜାର ଟଙ୍କା ଦେଇ ଅଧିକ ରୋଜଗାରର ଲୋଭ ଦେଖାଇ ଦଲାଲ ଅନ୍ୟ ରାଜ୍ୟକୁ ଚାଲାଣ କରିଥିଲା । ଅଭିଯୋଗ ଅନୁସାରେ, ନାବାଳିକାଙ୍କ ଆଧାର ଜନ୍ମ ତାରିଖରେ ବୟସ ଉର୍ଦ୍ଧ୍ଵ ଦର୍ଶାଇ ସେମାନଙ୍କୁ ସାବାଳିକା ଭାବେ ଦର୍ଶା ଯାଇଥିଲା।ଏହି ଘଟଣାର ମୁଖ୍ୟ ଦଲାଲ କଟାମା ଗାଁ ର ରାଜକୁମାର ବସ୍ତ୍ରରାୟ ସମ୍ପୃକ୍ତି ସାମ୍ନାକୁ ଆସିଥିବାବେଳେ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଉଦ୍ଧାର ନାବାଳିକାମାନଙ୍କୁ ସୁରକ୍ଷିତ ରଖାଯାଇଥିବା ବେଳେ ଆଇନ ଅନୁଯାୟୀ ସେମାନଙ୍କ ଡାକ୍ତରୀ ପରୀକ୍ଷା, ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଓ ପୁନର୍ବାସ ବ୍ୟବସ୍ଥା କରାଯାଉଛି।
ଏସ୍ଡିପିଓ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ନାବାଳିକାମାନଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଓ ଶିକ୍ଷାକୁ ପୋଲିସ ସର୍ବାଧିକ ପ୍ରାଥମିକତା ଦେଉଛି । ଘଟଣାରେ ଜଡ଼ିତ ଅନ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ଅନ୍ୟ ସମ୍ଭାବ୍ୟ ପୀଡ଼ିତାଙ୍କୁ ଠାବ ଓ ଉଦ୍ଧାର କରିବା ପାଇଁ ତଦନ୍ତ ଜାରି ରହିଛି।‘ଅପରେସନ୍ ଉଡାନ୍—ଆମ ଝିଅମାନଙ୍କୁ ଘରକୁ ଫେରାଇ ଆଣିବା’ ଅଭିଯାନ ମାଧ୍ୟମରେ ଗଜପତି ପୋଲିସର ଏହି ଆନ୍ତଃରାଜ୍ୟ ଉଦ୍ଧାର କାର୍ଯ୍ୟ ମାନବ ଚାଲାଣ ରୋକିବା ସହ ମହିଳା ଓ ଶିଶୁଙ୍କ ସୁରକ୍ଷା ପ୍ରତି ପୁଲିସର ପ୍ରତିବଦ୍ଧତାକୁ ପ୍ରମାଣିତ କରିପାରିଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।