ବିନା ଡାକ୍ତରରେ ଚାଲିଛି ୫ ସ୍ବାସ୍ଥ୍ୟକେନ୍ଦ୍ର

କେନ୍ଦୁଝର,୩୦ା୩(ସ୍ବ.ପ୍ର.): ଖଣିଖାଦାନ ଭରା କେନ୍ଦୁଝର ଜିଲାର ହାଟଡ଼ିହୀ ବ୍ଲକ୍‌ରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବ୍ଲକ୍‌ରେ ଥିବା ୫ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ବିନା ଡାକ୍ତରରେ ଚାଲିଛି। ଏଥିସହ ଶାଳନୀୟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସମେତ ୧୪ କର୍ମଚାରୀ ପଦବୀ ଖାଲିପଡ଼ିଛି। ତଳିଆ କର୍ମଚାରୀ ରୋଗୀଙ୍କୁ ଦେଖୁଥିବା ସୂଚନା ଅଧିକାର ଆଇନ୍‌ରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଶାଳନିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ହାଟଡ଼ିହୀ ଓ ହଦଗଡ଼ ଏରିଆ ହସ୍ପିଟାଲ ଓ ସୁନ୍ଦରାପାଳ, ଟୁକୁଣା, ସୋସୋ, ଓରାଳି, ମୁଗୁପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଶାଳନିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସର୍ଜରି, ଶିଶୁ, ମେଡିସିନ ବିଶେଷଜ୍ଞ ଡାକ୍ତରଙ୍କ ସମେତ ୧୪ କର୍ମଚାରୀ ନାହାନ୍ତି। ସେହିପରି ସୁନ୍ଦରାପାଳ ଓ ସୋସୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବ୍ୟତୀତ ହାଟଡ଼ିହୀ ଏରିଆ ହସ୍ପିଟାଲ, ହଦଗଡ଼ ଏରିଆ ହସ୍ପିଟାଲ, ମୁଗୁପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଓରାଳି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଟୁକୁଣା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବିନା ଡାକ୍ତରରେ ଚାଲିଥିବା ଜଣାପଡ଼ିଛି। ଅର୍ଥାତ୍‌ ଏଠାରେ ତଳିଆ କର୍ମଚାରୀମାନେ ଡାକ୍ତରଖାନା ଚଳାଉଛନ୍ତି। ଅନ୍ୟାନ୍ୟ କର୍ମଚାରୀ, ଉପଯୁକ୍ତ ଭିତ୍ତିଭୂମି ମଧ୍ୟ ନାହିଁ।
ଡାକ୍ତର ଓ କର୍ମଚାରୀ ଅଭାବରୁ ରୋଗୀମାନେ ଦୂରଦୂରାନ୍ତରୁ ଆସି ସେବାରୁ ବଞ୍ଚତ୍ତ ହେଉଛନ୍ତି। ବାଧ୍ୟ ହୋଇ ପଡ଼ୋଶୀ ଭଦ୍ରକ ଜିଲା ଉପରେ ନିର୍ଭର କରୁଛନ୍ତି। ଅନେକ ସମୟରେ ଗରିବ ଲୋକମାନେ ଘରୋଇ ଚିକିତ୍ସାଳୟକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କୃଷ୍ଣ ପୃଷ୍ଟି କହିଛନ୍ତି, ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ଅଭାବ ନେଇ ସ୍ବାସ୍ଥ୍ୟ ବିଭାଗକୁ ଅବଗତି କରାଯାଇଛି। ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସୂଚନା ଅଧିକାର କର୍ମୀ ହିମାଂଶୁ ଶେଖର ନାୟକ କହିଛନ୍ତି।