ବଳାତ୍କାରଙ୍କୁ ୪ ବର୍ଷ ଜେଲ

ବ୍ରହ୍ମପୁର,୨୮ା୭(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ ପୋକ୍‌ସୋ ଜଜ୍‌ ଗଣେଶ୍ୱର ପତି ଶୁକ୍ରବାର ଏକ ବଳାତ୍କାର ମାମଲାର ରାୟ ପ୍ରକାଶ କରିଛନ୍ତି। ସମସ୍ତ ପ୍ରମାଣକୁ ଭିତ୍ତିି କରି ଅଭିଯୁକ୍ତ ପ୍ରହଲ୍ଲାଦ ନଗରର ତ୍ରିଲୋଚନ ସାହୁ ଓରଫ ବାବୁ(୩୦)ଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୨୦ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୪ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି।

୨୦୧୮ ନଭେମ୍ବର ୨୧ ତାରିଖ ସନ୍ଧ୍ୟାରେ୧୩ ବର୍ଷୀୟା ନାବାଳିକା ଟ୍ୟୁଶନ ଯାଇ ଘରକୁ ଫେରି ନ ଥିଲେ। ତାଙ୍କ ବାପା ଟ୍ୟୁଶନ ଶିକ୍ଷକଙ୍କ ନିକଟକୁ ଯାଇ ଝିଅ ସମ୍ପର୍କରେ ପଚାରିଥିଲେ। ଝିଅ ଟ୍ୟୁଶନ ଆସି ନ ଥିବା ଶିକ୍ଷକ କହିଥିଲେ। ପରିବାର ଲୋକେ ଏ ନେଇ ବଡବଜାର ଥାନାରେ ଅଭିଯୋଗ କରିଥିଲେ। ପରେ ରାତି ପ୍ରାୟ ୯ଟାରେ ନାବାଳିକା ଘରକୁ ଫେରିଥିଲେ। ପୋଲିସ ତାଙ୍କ ବୟାନ ରେକର୍ଡ କରିଥିଲା। ଅଭିଯୁକ୍ତ ତ୍ରିଲୋଚନ ତାଙ୍କୁ ଚକୋଲେଟ ଦେବାକୁ କହି ଏକ ଗେଷ୍ଟହାଉସକୁ ନେଇ ବଳାତ୍କାର କରିଥିଲେ। ଏ ବିଷୟରେ କାହାକୁ ଜଣାଇଲେ ପରିବାର ଲୋକଙ୍କୁ ଜୀବନରେ ମାରିଦେବାକୁ ଧମକ ଦେବା ସହ ଜାତିଆଣ ମନ୍ତବ୍ୟ ଦେଇଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା(ନଂ.୧୯୧/୧୮) ରୁଜୁ କରି ଅଭିଯୁକ୍ତ ତ୍ରିଲୋଚନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଥିବା ତ୍ରିଲୋଚନଙ୍କୁ ୨୦୧୯ ନଭେମ୍ବର ୨୧ରେ ଜାମିନ ମିଳିଥିଲା। ଉକ୍ତ ମାମଲାର ବିଚାର ବେଳେ ୧୦ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଏହାକୁ ଆଧାର କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ମୋହନ ସିଙ୍ଗାରି ମକଦ୍ଦମା ପରିଚାଳନା କରୁଥିଲେ।