୮ ଶ୍ରେଣୀକୁ ୪ କକ୍ଷ

କୋଡ଼ପଡ଼ା,୧୦ା୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ୍‌ ଅନ୍ତର୍ଗତ ନୂଆଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବହୁ ସମସ୍ୟା ଘେରରେ ରହିଛି। ଶ୍ରେଣୀଗୃହ ଅଭାବରୁ ଛାତ୍ରୀଛାତ୍ରମାନେ ପାଳିକରି ଶ୍ରେଣୀ କକ୍ଷରେ ବସୁଛନ୍ତି। ଏନେଇ ଗ୍ରାମବାସୀ ବାରମ୍ବାର ଘସିପୁରା ବିଇଓଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଅଦ୍ୟାବଧି ଶ୍ରେଣୀ ଗୃହ ନିର୍ମାଣ ହୋଇପାରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
ଯେ, ୧୯୫୭ରେ ସ୍ଥାପିତ ଏହି ବିଦ୍ୟାଳୟଟି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୩୦ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି। ୮ଜଣ ଶିକ୍ଷକ ଶିକ୍ଷାଦାନ କରୁଥିବା ବେଳେ ମାତ୍ର ୪ ଶ୍ରେଣୀ ଗୃହ ରହିଛି। ଦୀର୍ଘଦିନ ଧରି ଶ୍ରେଣୀଗୃହ ଅଭାବରୁ ଶୀତ, ବର୍ଷା, ଖରାରେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟ ବାରଣ୍ଡାରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ପାଳିକରି ପିଲାମାନେ ଶ୍ରେଣୀ କକ୍ଷରେ ବସୁଛନ୍ତି। ସେହିପରି ବିଦ୍ୟାଳୟରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଶୌଚାଳୟ ଥିଲେ ମଧ୍ୟ ପାଣିର ସୁବିଧା ନ ଥିବାରୁ ଛାତ୍ରୀଛାତ୍ର ଶୌଚ ପାଇଁ ଘରକୁ ଯାଉଛନ୍ତି। ବିଦ୍ୟାଳୟର ଚତୁର୍ପାଶ୍ୱରେ ଉଚ୍ଚ ପ୍ରାଚୀର ନ ଥିବାରୁ ବୁଲା କୁକୁର ସହ ଗୋରୁ ଅବାଧରେ ବିଦ୍ୟାଳୟରେ ପ୍ରବେଶ କରୁଥିବାର ଦେଖାଯାଇଛି। ମୁଖ୍ୟ ସମସ୍ୟା ଭାବେ ଶ୍ରେଣୀଗୃହ ଅଭାବ ଯୋଗୁ ବହୁ ଅଭିଭାବକ ବାଧ୍ୟହୋଇ ଅନ୍ୟ ବିଦ୍ୟାଳୟରେ ପିଲାଙ୍କ ନାମ ଲେଖାଉଥିବା ପ୍ରକାଶ କରିଛନ୍ତି। ସମସ୍ୟା ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ପ୍ରଦୀପ ସାହୁଙ୍କୁ ପଚରାଯିବାରୁ ଅସୁବିଧା ନେଇ ସେ ଘସିପୁରା ବିଡିଓଙ୍କ ସହ ଯୋଗାଯୋଗ କରିବେ ବୋଲି ପ୍ରକାଶ କରିଥିଲେ। ସେହିପରି ଘସିପୁରା ବିଇଓ ତପୋଧନ ସ୍ବାଇଁ କହିଛନ୍ତି, ବର୍ତ୍ତମାନ ସର୍ବଶିକ୍ଷା ଅଭିଯାନ ତରଫରୁ ଗୃହ ନିର୍ମାଣ ପାଇଁ ଟଙ୍କା ଆସୁନାହିଁ। ସ୍ଥାନୀୟ ପଞ୍ଚାୟତକୁ ଉକ୍ତ ଦାୟିତ୍ୱ ହସ୍ତାନ୍ତର କରାଯାଇଥିବାରୁ ଏନେଇ ସରପଞ୍ଚଙ୍କୁ ଅବଗତ କରିବେ ବୋଲି ସେ ପ୍ରକାଶ କରିଛନ୍ତି।