ବନ୍ଧୁକ ମୁନରେ ହେଲପରଙ୍କୁ ଅପହରଣ, ଟ୍ରକ୍‌ ଲୁଟ୍‌; ୪ ଗିରଫ

ବଡ଼ବିଲ,୩୦ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଟଣ୍ଟୋ ନିକଟରୁ ବନ୍ଧୁକ ମୁନରେ ହେଲପରଙ୍କୁ ଅପହରଣ କରିବା ସହ ଏକ ୧୨ ଚକିଆ ଟ୍ରକ ଲୁଟ୍‌ ଅଭିଯୋଗରେ ପୋଲିସ ବୁଧବାର ସନ୍ଧ୍ୟାରେ ୪ ଜଣ ଝାଡ଼ଖଣ୍ଡ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟ ରାମଗଡ଼ ଥାନା ବଡ଼କିକୁନ୍ଦୁରୁ ଗ୍ରାମର ଇଜାଜ ଅନସାରୀ, ରାମଗଡ଼ ଥାନା ମୁନ୍ଦୁରାପଡ଼ା ଅଞ୍ଚଳର ମୋଜମବିଲ ଅନସାରୀ, ରାମଗଡ଼ ଥାନା ମୁଦ୍ଦାନ ଗ୍ରାମର ଏମଡି ମିରାଜ ଅନସାରୀ ଏବଂ ବୋକାରୋ ଜିଲା ମହୁଆଟାନ ଥାନା ଅନ୍ତର୍ଗତ କାଶିଆଡିହି ଗ୍ରାମର ସଜନ ଅନସାରୀ।

ସୂଚନାନୁଯାୟୀ, ଗତ ୨୮ ତାରିଖ ବିଳମ୍ବିତ ରାତିରେ ଏହି ଥାନା ଅନ୍ତର୍ଗତ ଭଦ୍ରାସାହିସ୍ଥିତ ଟଣ୍ଟୋ ନିକଟରୁ ବନ୍ଧୁକ ମୁନରେ ହେଲପରଙ୍କୁ ଅପହରଣ କରିବା ସହ ୧୨ ଚକିଆ ଟ୍ରକ୍‌କୁ ଲୁଟି ନେଇଥିବା ନେଇ ବଡ଼ବିଲ ଓଏମ୍‌ସି ଅଫିସ ପଛପାଖରେ ରହୁଥିବା ବିଶ୍ୱଜିତ କୁମାର ଅଭିଯୋଗ କରିଥିଲେ। ବିଶ୍ୱଜିତଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ବଡ଼ବିଲ ଥାନା କେସ ନଂ- ୫୯/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଅଭିଯୋଗ ଅନୁଯାୟୀ, ଭଦ୍ରାସାହି ଟଣ୍ଟୋ ନିକଟରେ ଓଡି ୦୯ ଜି ୯୩୦୩ ନମ୍ବର ବିଶିଷ୍ଟ ୧୨ ଚକିଆ ଟ୍ରକଟି ଛିଡ଼ା ହୋଇଥିଲା। ଟ୍ରକ୍‌ ଭିତରେ ହେଲପର ଶୋଇଥିବାବେଳେ ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ଟ୍ରକର ସମ୍ମୁଖ ଭାଗ ଉଭୟ ପାର୍ଶ୍ୱରୁ କାଚଭାଙ୍ଗି ବନ୍ଧୁକ ମୁନରେ ଦୁର୍ବୃତ୍ତମାନେ ପଶିଥିଲେ। ବନ୍ଧୁକ ମୁନରେ ହତ୍ୟା ଧମକ ଦେବା ସହ ହେଲପରଙ୍କ ସହ ଟ୍ରକଟିକୁ ଝାଡ଼ଖଣ୍ଡ ଆଡ଼କୁ ନେଇଯାଇଥିଲେ। ତେବେ ଝାଡ଼ଖଣ୍ଡ ରାଜ୍ୟ ହାଟଗମ୍ଭାରିଆ ନିକଟ ଜଙ୍ଗଲରେ ଦୁର୍ବୃତ୍ତମାନେ ହେଲପରଙ୍କ ହାତବାନ୍ଧି ଫିଙ୍ଗି ଦେଇ ଚାଲିଯାଇଥିଲେ। ଏ ନେଇ ହେଲପର ମାଲିକ ବିଶ୍ୱଜିତଙ୍କୁ କୌଣସି ମତେ ସୂଚନା ଦେଇଥିଲେ। ତେବେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବାବେଳେ ଲୁଟ୍‌ ହୋଇଥିବା ଟ୍ରକ୍‌କୁ ଉଦ୍ଧାର କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତମାନଙ୍କ ନିକଟରୁ ପୋଲିସ ଗୋଟେ ପିସ୍ତଲ, ଗୋଟିଏ ଖଣ୍ଡା, ଗୋଟିଏ ଛୁରି ସହ ୪ ମୋବାଇଲ ଜବତ କରିଥିବା ବଡ଼ବିଲ ଥାନା ଆଇଆଇସି ସୁଶାନ୍ତ ଦାଶ ସୂଚନା ଦେଇଛନ୍ତି।