ଘରୁ ଗହଣା, ଟଙ୍କା ଚୋରି ଘଟଣାରେ ୪ ଗିରଫ

ବ୍ରହ୍ମପୁର ଅଫିସ, ୮।୬: ବଡବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ନିକଟ ଗାୟତ୍ରୀ ବିହାରରେ ସୁଶାନ୍ତ ମିଶ୍ରଙ୍କ ଘରୁ ଲୁଟେରା ଗ୍ୟାଙ୍ଗ ଗତ ୩୧ ତାରିଖ ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ଗହଣା ଓ ଟଙ୍କା ଚୋରି କରିନେଇଥିଲେ। ଏହି ଘଟଣାରେ ବଡବଜାର ପୋଲିସ ଗୁରୁବାର ୪ ଜଣିଆ ଲୁଟେରା ଗ୍ୟାଙ୍ଗକୁ ପୋଲିସ କାବୁ କରିଛି। ଅଭିଯୁକ୍ତ ମାନେ ହେଲେ ବଡବଜାର ଥାନା ଅନ୍ତର୍ଗତ ଶ୍ରୀରାମନଗର ଶାନ୍ତି ମାର୍ଗର ଶଙ୍କର ପଣ୍ଡା(୨୦), ଫାଷ୍ଟଗେଟ କୁମୁଟି ସାହିର ଆକାଶ ପଣ୍ଡା (୨୨), ନିମଖଣ୍ଡି ଥାନା ଅନ୍ତର୍ଗତ ନିମଖଣ୍ଡିର ବାବୁ ସାହୁ(୨୫) ଓ ଟାଉନ ଥାନା ଅନ୍ତର୍ଗତ ଭବାନୀ ନଗରର ରାଜା ପାତ୍ର(୨୩)। ମାମଲା ନଂ ୧୯୦/୨୩ ରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି। ସେହିପରି ପୋଲିସ ଲୁଟେରାମାନଙ୍କ ନିକଟରୁ ୧୦ ଭରି ର ରୂପା , ସୁନା ଓ ୨୦ ହଜାର ଟଙ୍କା, ବ୍ୟାଙ୍କ ପାସ ବୁକ୍‌ ଜବତ କରିଛି।

ପ୍ରକାଶ ଯେ, ବୁଧବାର ରାତିରେ ସୁଶାନ୍ତ ମିଶ୍ର ତାଙ୍କ ପରିବାର ସହ ଘରର ପ୍ରଥମ ମହଲାରେ ଶୋଇଥିଲେ। ଗୁରୁବାର ସକାଳେ ଉଠି ଦେଖିବାବେଳେ ତଳ ମହଲାର ଚାବି ଭଙ୍ଗା ଯାଇଥିଲା। ଘର ଭିତରକୁ ଯାଇ ଦେଖିବା ବେଳେ ଦୁଇଟି ଅଲମୀରା ଭଙ୍ଗା ହୋଇଥିବା ବେଳେ ସେଥିରେ ଥିବା ଆସବାବପତ୍ର ତଳେ ପଡିଥିଲା। ଆଲମୀରା ଭିତରେ ଥିବା ୧୦ ଭରି ରୂପା , କିଛି ସୁନା , ନଗଦ ୨୦ ହଜାର ଟଙ୍କା, ବ୍ୟାଙ୍କ ପାସବୁକ ଓ ଏଟିମ କାର୍ଡ ଚୋରି ହୋଇଯାଇଥିଲା। ପରେ ଏନେଇ ବଡବଜାର ଥାନାରେ ଅଭିଯୋଗ କରାଯାଇଥିଲା।