ନାବାଳକଙ୍କୁ ପିଟିପିଟି ହତ୍ୟା: ୪ କୋର୍ଟ ଚାଲାଣ

ବଡ଼ବିଲ,୧୩ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣି ଥାନା ଅନ୍ତର୍ଗତ ବାଲାଗୋଡ଼ାସ୍ଥିତ ମୁଣ୍ଡାସାହିରେ ଜଣେ ନାବାଳକଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୋଲିସ ଶନିବାର ୪ ଅଭିଯୁକ୍ତଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲାଗୋଡ଼ା ମୁଣ୍ଡାସାହି ଅଞ୍ଚଳରେ ରହୁଥିବା ବନମାଳୀ ମହାକୁଡ଼, ବୁତୁରୁ ପୂର୍ତ୍ତି, ନାକୁ ମହାକୁଡ଼ ଏବଂ ଗୁରୁଚରଣ ମୁଣ୍ଡା।

ସୂଚନାନୁଯାୟୀ, ଡବ୍ଲ୍ୟୁ ହଟିଂ ଅଞ୍ଚଳରେ ରହୁଥିବା ୧୭ ବର୍ଷୀୟ ନାବାଳକ ଗତ ଗୁରୁବାର ରାତିରୁ ନିଖୋଜ ହୋଇଯାଇଥିବାବେଳେ ଶୁକ୍ରବାର ଅପରାହ୍ନରେ ମୃତଦେହକୁ ବାଲାଗୋଡ଼ା ମୁଣ୍ଡାସାହିର ଏକ ଗାତରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମୃତକଙ୍କ ପରିବାର ପକ୍ଷରୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତେବେ ପୋଲିସ ଆଜି ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିଲା।