୨ ବ୍ୟାଙ୍କରେ ଜମାହେବ ଶ୍ରୀମନ୍ଦିର ପାଣ୍ଠିର ୩୯ କୋଟି ୨୨ ଲକ୍ଷ

ପୁରୀ, ୧୯ା୩(ଅଜିତ୍‌ ମହାନ୍ତି):ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ସୋମବାର ଶ୍ରୀମନ୍ଦିର ଅର୍ଥ ସବ୍‌କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭକ୍ତଙ୍କ ଦାନ ଅର୍ଥ ତଥା ଶ୍ରୀମନ୍ଦିର ପାଣ୍ଠି ଅର୍ଥ ଡିପୋଜିଟ ନେଇ ବୈଠକରେ ବିଡିଂ କରାଯାଇଥିଲା। ଦୁଇଟି ବ୍ୟାଙ୍କ୍‌ରେ ଶ୍ରୀମନ୍ଦିର ଉନ୍ନୟନ ପାଣ୍ଠିର ମୋଟ ୩୯ କୋଟି ୨୨ ଲକ୍ଷ ଟଙ୍କା ଜମା କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ପ୍ରଦୀପ କୁମାର ସାହୁ କହିଛନ୍ତି ଯେ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ମୋଟ ୩୯ କୋଟି ୨୨ ଲକ୍ଷ ଟଙ୍କା ଦୁଇଟି ବ୍ୟାଙ୍କରେ ଜମା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୩ କୋଟି ୧୮ ଲକ୍ଷ ଟଙ୍କା ଓ ଦ୍ୱିତୀୟ ପର୍ଯ୍ୟାୟରେ ୩୬ କୋଟି ୩ ଲକ୍ଷ ଟଙ୍କା ଜମା ହେବ। ଉକ୍ତ ବିଡିଂ ପ୍ରକ୍ରିୟାରେ କାନାରା ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ୟୁକୋ ବ୍ୟାଙ୍କ ଏବଂ ଇଣ୍ଡିଆନ ବ୍ୟାଙ୍କ ଅଂଶଗ୍ରହଣ କରିଥିଲେ। ଓପନ ବିଡିଂ ମାଧ୍ୟମରେ ବ୍ୟାଙ୍କଗୁଡ଼ିକ ସହ ଆଲୋଚନା କରାଯାଇଥିଲା। ଆଲୋଚନା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ସେମାନଙ୍କ ଭିତରେ ଆଲୋଚନା କରି ମୂଲ୍ୟ ସ୍ଥିର କରିଥିଲେ। ୨ଟି ପର୍ଯ୍ୟାୟରେ ଟଙ୍କା ଡିପୋଜିଟ୍‌ ପାଇଁ ନିଷ୍ପତ୍ତି ହୋଇଥିଲା। ବ୍ୟାଙ୍କ ଅଫ ବରୋଦା ସର୍ବାଧିକ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଶତକଡ଼ା ୭.୫୫ ପ୍ରତିଶତ ସୁଧ ଦେବା ପାଇଁ ପ୍ରସ୍ତାବ ଦେଇଥିଲା। ସର୍ବସମତି କ୍ରମେ ଏହି ପ୍ରସ୍ତାବ ଅନୁମୋଦନ ହୋଇଥିଲା। ତେଣୁ ବ୍ୟାଙ୍କ ଅଫ ବରୋଦାରେ ୩ କୋଟି ୧୮ ଲକ୍ଷ ଟଙ୍କା ଜମା କରିବାକୁ ନିଷ୍ପତ୍ତିି ନିଆଯାଇଛି। ସେହିଭଳି ବଡ଼ ଫଣ୍ଡରେ କାନାରା ବ୍ୟାଙ୍କ ଅଧିକ ବିଡିଂ ଦେଇଥିଲା। ପ୍ରଥମେ ୭.୭୫ ପ୍ରତିଶତ ସୁଧ ଦେବାକୁ ବ୍ୟାଙ୍କ ପକ୍ଷରୁ କୁହାଯାଇଥିବାବେଳେ ପ୍ରଶାସନର ଅନୁରୋଧ କ୍ରମେ ୭.୮୦ ପ୍ରତିଶତ ସୁଧ ଦେବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ସହମତି ପ୍ରକାଶ କରିଥିଲେ। ତେଣୁ କାନାରା ବ୍ୟାଙ୍କରେ ୩୬ କୋଟି ୩ ଲକ୍ଷ ଟଙ୍କା ଜମା କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି ସାହୁ କହିଛନ୍ତି। ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଅର୍ଥ ବିଭାଗ ଅଧିକାରୀ ଓ ବିଭିନ୍ନ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।