୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୩୭୮୮ ନୂଆ ଭୋଟର

କୋରାପୁଟ,୬।୧(ସ୍ବ.ପ୍ର.): କୋରାପୁଟ ଜିଲାରେ ଚୂଡାନ୍ତ ଭୋଟର ତାଲିକା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ତେବେ କୋରାପୁଟ ସବ୍‌ଡିଭିଜନରେ ଥିବା ଲକ୍ଷ୍ମୀପୁର, କୋରାପୁଟ ଓ ପଟ୍ଟାଙ୍ଗି ନିର୍ବାଚନମଣ୍ଡଳୀରେ ୩୭୮୮ ନୂତନ ଭୋଟର ଚିହ୍ନଟ ହୋଇଥିବା ଶୁକ୍ରବାର କୋରାପୁଟ ଉପଜିଲାପାଳ ନରେନ୍ଦ୍ର ନାୟକ ସୂଚନା ଦେଇଛନ୍ତି । ଦୁଇଟି ପୌରାଞ୍ଚଳ ଓ ୧୦ ଟି ବ୍ଲକର ୬୬୩ଟି ବୁଥ୍‌କୁ ନେଇ ଗଠିତ ଜିଲାର ଲକ୍ଷ୍ମୀପୁର, କୋରାପୁଟ ଓ ପଟ୍ଟାଙ୍ଗି ଆଦି ୩ ନିର୍ବାଚନମଣ୍ଡଳୀରେ ନୂତନ ଭାବେ ୩୭୮୮ ଭୋଟର ନାମ ପଞ୍ଜିକୃତ କରିଥିବା ପ୍ରଶାସନ ତଥ୍ୟରୁ ସୂଚନା ମିଳିଛି। ସେଥିମଧ୍ୟରେ ଲକ୍ଷୀପୁର ନିର୍ବାଚନମଣ୍ଡଳୀରେ ୭୭୦ ଜଣ ନୂତନ ଭୋଟର ପଞ୍ଜିକୃତ କରିଥିବାବେଳେ କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରେ ସର୍ବାଧିକ ୧୯୭୩ ନୂତନ ଭୋଟର ଓ ପଟ୍ଟାଙ୍ଗି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୦୪୫ ଜଣ ନୂତନ ଭୋଟର ସେମାନଙ୍କ ନାମ ପଞ୍ଜିକରଣ କରିଛନ୍ତି। ବର୍ତ୍ତମାନ ନୂତନ ଭୋଟର ତାଲିକା ପ୍ରକାଶ ପରେ ଜିଲାର ଉପରୋକ୍ତ ୩ ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ୫ଲକ୍ଷ ୨୮ ହଜାର ୩୩୭ରେ ପହଞ୍ଚିଛି। ସେଥିମଧ୍ୟରେ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ୧ ଲକ୍ଷ ୬୬ ହଜାର ୬୩୪କୁ ବୃଦ୍ଧି ପାଇଥିବା ବେଳେ କୋରାପୁଟ ନିର୍ବାଚନମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ୧ ଲକ୍ଷ ୮୨ ହଜାର ୫୪୧ ଏବଂ ପଟ୍ଟାଙ୍ଗି ନିର୍ବାଚନମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ୧ ଲକ୍ଷ ୭୯ ହଜାର ୧୬୨କୁ ବୃଦ୍ଧି ପାଇଛି।ପୂର୍ବରୁ ଏହି ତିନି ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୫ ଲକ୍ଷ ୨୪ ହଜାର ୫୪୯ ଭୋଟର ରହିଥିଲେ।