ଛାତ୍ରଙ୍କୁ ମାଡମାରି ଟଙ୍କା, ମୋବାଇଲ ଲୁଟ୍‌

ବ୍ରହ୍ମପୁର ଅଫିସ,୬।୧: ଗଞ୍ଜାମ ଜିଲା ଗୋଶାଣିନୁଆଗାଁ ଥାନା ଅଧୀନ ଏକ ସ୍କୁଲ ନିକଟରୁ ଲୁଟେରା ଗ୍ୟାଙ୍ଗ ଜଣେ ଛାତ୍ରଙ୍କୁ ମାଡ଼ମାରି ମୋବାଇଲ ଫୋନ୍‌, ଟଙ୍କା ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଥିବା ଛାତ୍ର ଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା(ନଂ.୨/୨୩) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏପରି କି ପୋଲିସ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି।

ମୋବାଇଲ ଫୋନ୍‌ ସୁଇଚ୍‌ ଅଫ ରହିଥିବାରୁ ପୋଲିସକୁ ଟ୍ରାକିଂ କରିବାରେ ସମସ୍ୟା ହେଉଛି। ପୂର୍ବରୁ ମଧ୍ୟ ଷ୍ଟେଶନରୁ ଫେରୁଥିବା ଯାତ୍ରୀଙ୍କୁ ଲୁଟେରା ଗ୍ୟାଙ୍ଗ୍‌ ଟାର୍ଗେଟ କରୁଥିବା ନେଇ ଗୋଶାଣିନୁଆଗାଁ ଥାନାରେ ବିଭିନ୍ନ ସମୟରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ, ବାଲେଶ୍ୱରର ସତ୍ୟଜିତ ସେଠୀ କମ୍ପିଟେଟିଭି ପରୀକ୍ଷା ପାଇଁ ବ୍ରହ୍ମପୁରର ଚନ୍ଦନନଗରରେ ଏକ ଘର ଭଡ଼ା ନେଇ ରହୁଥିଲେ। ସେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପଢୁଥିଲେ। ସେ ୫ ତାରିଖ ରାତିରେ ଜୁନାଗଡ଼ ଏକ୍ସପ୍ରେସ ଟ୍ରେନରେ ଭୁବନେଶ୍ୱରରୁ ବ୍ରହ୍ମପୁର ଫେରିଥିଲେ। ଟ୍ରେନ୍‌ ରାତ୍ର ୧୨ଟାରେ ୪ ନମ୍ବର ପ୍ଲାଟ୍‌ଫର୍ମରେ ପହଞ୍ଚିଥିଲା। ସେ ଷ୍ଟେଶନ ବାହାରୁକୁ ଆସି ଚାଲିକି ଚନ୍ଦନନଗର ଯାଉଥିଲେ। ହେଲେ ସ୍କୁଲ ନିକଟରେ କେତେକ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ପରେ ତାଙ୍କୁ ଆକ୍ରମଣ କରି ଥିବା ମୋବାଇଲ, ପର୍ସ, ଦୁଇଟି ଏଟିଏମ କାର୍ଡ, ପାନ କାର୍ଡ ସହ ୫ଶହ ଟଙ୍କା ଲୁଟି ନେଇଥିଲେ। ଏନେଇ ଛାତ୍ର ଜଣଙ୍କ ଗୋଶାଣିନୁଆଗାଁ ଥାନାରେ ଅଭିଯୋଗ କରିଛନ୍ତି।