ଦୈନିକ ଆସୁଛି ୩୬୦ଟନ୍‌ ଆମ୍ବ

ବ୍ରହ୍ମପୁର ଅଫିସ,୧୬ା୫ଗଞ୍ଜାମ ଜିଲା ସମେତ ରାଜ୍ୟ ବାହାରୁ ଆମ୍ବ ରପ୍ତାନି କ୍ଷେତ୍ରରେ ବ୍ରହ୍ମପୁର ନୀଳକଣ୍ଠେଶ୍ୱର ଆମ୍ବ ବଜାରର ବିଶେଷ ଚାହିଦା ରହିଛି। ଏହି ବଜାରକୁ ପ୍ରତିଦିନ ୩୬୦ ଟନ୍‌ ଆମ୍ବ ଆସୁଛି। ଏଠାରୁ ଗଞ୍ଜାମ ସମେତ କଟକ, ଭୁବନେଶ୍ୱରକୁ ମଧ୍ୟ ପଠାଯାଉଛି। ଏପରିକି ସମଗ୍ର ଦକ୍ଷିଣ ଓଡ଼ିଶାର ଏହା ଆମ୍ବ ବ୍ୟବସାୟର ପେଣ୍ଠସ୍ଥଳୀ କହିଲେ ଅତ୍ୟୁକ୍ତି ହେବନାହିଁ। ବଜାରରେ ବର୍ତ୍ତମାନ ଆମ୍ବ ବିକ୍ରି ବୃଦ୍ଧି ପାଇଛି। ସୁବର୍ଣ୍ଣରେଖା ଆମ୍ବର ଚାହିଦା ଅଧିକ ଥିବା ଜଣାପଡ଼ିଛି।
ଅମାବାସ୍ୟାକୁ ଦୃଷ୍ଟିରେ ରଖି ଏବେଠାରୁ ନୀଳକଣ୍ଠେଶ୍ୱର ହୋଲ୍‌ସେଲ୍‌ ବଜାରରେ ନାନା କିସମର ଆମ୍ବ ବିକ୍ରି ହେଉଥିବା ଦେଖିବାକୁ ମିଳିଛି, ଯେଉଁଠାରୁ କି ସହରର ରିଟେଲ ବ୍ୟବସାୟୀମାନେ କ୍ରୟକରି ବିକ୍ରି କରୁଛନ୍ତି। ବର୍ତ୍ତମାନ ବଜାରରେ ସୁବର୍ଣ୍ଣରେଖା, ବାଇଗଣପଲୀ, ନଡ଼ିଆ ଆମ୍ବ ଓ ଅମୃତ କଳସୀ ଭଳି କିସମ ଅଧିକ ବିକ୍ରି ହେଉଛି। ବର୍ତ୍ତମାନ ଆମ୍ବ କିଲୋପ୍ରତି ଦର ୭୦ରୁ ୧୦୦ ଟଙ୍କା ଯାଏ ରହିଛି। ତେବେ ରିଟେଲ ବ୍ୟବସାୟୀଙ୍କଠାରୁ ଆରମ୍ଭକରି ଖୁଚୁରା ବ୍ୟବସାୟୀମାନେ ନୀଳକଣ୍ଠେଶ୍ୱର ଆମ୍ବ ବଜାର ଉପରେ ହିଁ ନିର୍ଭର କରିଥାନ୍ତି।
ସୂଚନାଯୋଗ୍ୟ, ନୀଳକଣ୍ଠେଶ୍ୱର ଆମ୍ବ ବଜାର ୧୯୯୪ରେ ପ୍ରତିଷ୍ଠା ହୋଇଥିଲା। ବର୍ତ୍ତମାନ ଏହି ବଜାରରେ ୮୨ଟି ଦୋକାନ ରହିଛି। ଏହି ବଜାରକୁ ଆନ୍ଧ୍ରରୁ ପ୍ରଚୁର ପରିମାଣର ଆମ୍ବ ଆମଦାନୀ ହେଉଛି। ଆନ୍ଧ୍ରର ବିଜୟନଗରମ୍‌, ରାଜମହେନ୍ଦ୍ରୀ ଓ ଟୁନି ଆଦି ଅଞ୍ଚଳରୁ ଆମ୍ବ ଆସୁଥିବା ବଜାର ସମ୍ପାଦକ ପ୍ରକାଶ ଚନ୍ଦ୍ର ଗୌଡ଼ କହିଛନ୍ତି। ଏହିସବୁ ଅଞ୍ଚଳରୁ ପାନକୁଲୁ ଓ କଲମ୍ବି ଆମ୍ବ ଆମଦାନୀ ହେଉଛି। ଏବେ ବଜାରକୁ ପ୍ରତିଦିନ ୩୬୦ ଟନ୍‌ ଆମ୍ବ ଆସୁଥିବା ସମ୍ପାଦକ କହିଛନ୍ତି। ଏହି ଆମ୍ବଗୁଡ଼ିକ କଟକ ଓ ଭୁବନେଶ୍ୱର ସମେତ ଅନ୍ୟ ଆଡକୁ ମଧ୍ୟ ପଠାଯାଉଛି।