ଲଗାଣ ବର୍ଷା ପରେ ଭୂସ୍ଖଳନ: ଚାଲିଗଲା ୩୬ ଜୀବନ

ପେରୁ, ୭।୨: ଲଗାତର ବର୍ଷା ଯୋଗୁ ଦକ୍ଷିଣ ପେରୁର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟି ୩୬ଜଣଙ୍କ ମୃତ୍ୟୁ ଘଟିଛି। ଏପରିକି ଶତାଧିକ ଲୋକ ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ଏକ ଭ୍ୟାନ୍‌ରେ ୫ ଜଣ ଯାତ୍ରୀ ଯାଉଥିଲେ। ହେଲେ ଲଗାଣ ବର୍ଷା ଯୋଗୁ ଗାଡ଼ିଟି ଭାରସାମ୍ୟ ହରାଇ ଏକ ନଦୀ ଭିତରକୁ ଖସି ପଡ଼ିଥିଲା। ଫଳରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇ ୫ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କାମାନା ପ୍ରଦେଶର ମାରିଆନୋ ନିକୋଲ୍ସ ଭାଲର୍ସେଲ ମୁନିସିପାଲିଟିର ଜଣେ ଅଧିକାରୀ ୱିଲ୍ସନ ଗୁଟିରେଜ ଦକ୍ଷିଣ ପେରୁର ମିକ୍ସି ଦୁର୍ଗମ ଅଞ୍ଚଳରୁ ୩୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା କହିଛନ୍ତି। ଅନ୍ୟପକ୍ଷେ ଭୂସ୍ଖଳନ ଯୋଗୁ ପୋଲ ଓ କେନାଲ ପ୍ରଭାବିତ ହୋଇଛି। ଫେବୃୟାରୀ ମାସରେ ପେରୁରେ ଲଗାଣ ବର୍ଷା ହୋଇ ଧନଜୀବନ ହାନି ଘଟୁଥିବା ନଜର ରହିଛି।

Share