ବ୍ରହ୍ମପୁର ମହାନଗର ନିଗମ ପାଇଁ ୩୪ କୋଟି

ବ୍ରହ୍ମପୁର ଅଫିସ,୧୦ା୬: ବ୍ରହ୍ମପୁର ମହାନଗରର ବିଭିନ୍ନ ଅଞ୍ଚଳରେ ମୁକ୍ତା ଯୋଜନାରେ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ୱାରା ହେବାକୁ ଥିବା ବିଭିନ୍ନ କାର୍ଯ୍ୟକୁ ଶୁକ୍ରବାର ୫-ଟି ସଚିବ ଭି.କେ. ପାଣ୍ଡିଆନ ଭିଡିଓ କନଫରେନ୍ସରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ବିଇଏମସି ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ ବିବେକ ରେଡ୍ଡୀ, ବିଧାୟକ ବିକ୍ରମ କୁମାର ପଣ୍ଡା, କମିଶନର ଜେ. ସୋନାଲ, ଅତିରିକ୍ତ କମିଶନର ସମ୍ବିତ ରାଉତ, ଡେପୁଟି କମିଶନର ବିନୋଦ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ଆର୍ଥିକ ବର୍ଷରେ ବିଇଏମସି ପକ୍ଷରୁ ୪୨ଟି ୱାର୍ଡରେ ପ୍ରାୟ ୩୪ କୋଟି ଟଙ୍କା ବ୍ୟୟରେ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯିବ। ଏ ନେଇ ୫ଟି ସଚିବ କହିଥିଲେ ଯେ, ଏସଏଚଜିଙ୍କ ସହଯୋଗରେ ସହରର ଉନ୍ନୟନମୂଳକ କାର୍ଯ୍ୟ କ୍ଷେତ୍ରରେ ସହାୟକ ହେବ। ଏଣୁ ସମୟ ସୀମା ମଧ୍ୟରେ କିଭଳି ସମସ୍ତ କାର୍ଯ୍ୟ ସମାପାନ ହେବ ଏବଂ ଏସଏଚଜି ମହିଳାମାନେ ସେମାନଙ୍କର ପ୍ରାପ୍ୟ ପାଇପାରିବେ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଇଏମସି ଗୋଷ୍ଠୀ ସଂଯୋଜିକା ଗୀତାଞ୍ଜଳୀ ସାମନ୍ତରାୟ, ସ୍ମିତା ଦାଶଙ୍କ ସମେତ ବିଇଏମସିର ବହୁ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।