ଡେରାଡୁନ, ୫।୫:ଉତ୍ତରାଖଣ୍ଡର ରାମନଗର ଅଞ୍ଚଳରେ ଥିବା ଜିମ୍ କର୍ବେଟ ଜାତୀୟ ଉଦ୍ୟାନ ଅନ୍ତର୍ଗତ ଫାଟୋ ଟୁରିଜମ ଜୋନ୍ ଏବେ ଚର୍ଚ୍ଚାରେ ରହିଛି। ଏଠାରେ ଥିବା ଏକ ବିଶାଳକାୟ ବାଘ ସମ୍ପ୍ରତି ପର୍ଯ୍ୟଟକ ତଥା ବନ୍ୟପ୍ରାଣୀପ୍ରେମୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବିଶାଳକାୟ ଆକାର ହେତୁ ଏହି ବାଘର ନାମ ହରକ୍ୟୁଲେସ୍ ରଖାଯାଇଛି। ବନ ବିଭାଗ କର୍ମଚାରୀଙ୍କ ପ୍ରାରମ୍ଭିକ ଆକଳନ ଅନୁଯାୟୀ ଏହି ବାଘର ଓଜନ ପ୍ରାୟ ୩୦୦ କେ.ଜି. ହୋଇଥିବାବେଳେ ଏହାର ଲମ୍ବ ପ୍ରାୟ ୭ ଫୁଟ ରହିଛି। ଉକ୍ତ ଆକଳନ ଅନୁଯାୟୀ, ହରକ୍ୟୁଲେସକୁ ଏସିଆର ସବୁଠାରୁ ବଡ଼ ବାଘ ଭାବେ ମାନ୍ୟତା ମିଳିବା ନେଇ ସମ୍ଭାବନା ଥିବା ବନ କର୍ମଚାରୀ ତଥା ବନ୍ୟପ୍ରାଣୀପ୍ରେମୀମାନେ ଅନୁମାନ କରୁଛନ୍ତି। ହରକ୍ୟୁଲେସକୁ ନେଇ ତେରେଇ ପଶ୍ଚିମ ବନ ଡିଭିଜନର ବିଭାଗୀୟ ବନ ଅଧିକାରୀ (ଡିଏଫ୍ଓ) ପ୍ରକାଶ ଆର୍ଯ୍ୟା କହିଛନ୍ତି, ସେ ତାଙ୍କ ପୂରା କ୍ୟାରିୟରରେ କେବେ ମଧ୍ୟ ଏତେ ବଡ଼ ଏବଂ ବିଶାଳକାୟ ବାଘ ଦେଖିନାହାନ୍ତି। ଏହା ଫାଟୋ ଟୁରିଜମ ଜୋନ୍ର ସମୃଦ୍ଧ ଜୈବବିବିଧତା ଏବଂ ବନ ବିଭାଗର ସଫଳ ପରିଚାଳନାକୁ ଦର୍ଶାଉଥିବା ସେ କହିଛନ୍ତି। ତେବେ ହରକ୍ୟୁଲେସ ଏସିଆର ସବୁଠାରୁ ବଡ଼ ବାଘ ହୋଇଥିବା ନେଇ ବର୍ତ୍ତମାନ ସୁଦ୍ଧା ପ୍ରମାଣିତ ହୋଇ ନ ଥିବାରୁ ଏଥିନିମନ୍ତେ ଧୈର୍ଯ୍ୟ ରଖିବାକୁ ସେ ପର୍ଯ୍ୟଟକଙ୍କୁ ପରାମର୍ଶ ଦେଇଛନ୍ତି। ବନ ବିଭାଗ ପକ୍ଷରୁ ହରକ୍ୟୁଲେସର ଗତିବିଧି ଉପରେ କଡ଼ା ନଜର ରଖାଯାଉଛି। ଅଧିକାରୀମାନେ ହରକ୍ୟୁଲେସର ଗତିବଧିକୁ ଟ୍ରାକ୍ କରିବା ସହ ଏହା ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ପାଇଁ ସମଗ୍ର ଅଞ୍ଚଳରେ କ୍ୟାମେରା ଟ୍ରାପ୍ ବିଛାଇଛନ୍ତି। ଏସିଆର ସବୁଠାରୁ ବଡ଼ ବାଘ ଭାବେ ହରକ୍ୟୁଲେସକୁ ମାନ୍ୟତା ମିଳିଲେ ରାମନଗରସ୍ଥିତ ଫାଟୋ ଟୁରିଜମ ଜୋନ୍କୁ ଅନ୍ତର୍ଜାତୀୟ ସ୍ବୀକୃତି ମିଳିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।


