Posted inUncategorized

୩୦ ବର୍ଷ

ଭାରତରେ ୨୪ ଜୁଲାଇ ୧୯୯୧ରେ ପି. ଭି. ନରସିଂହରାଓଙ୍କ ସରକାର ଉଦାରୀକରଣକୁ ବିଧିବଦ୍ଧ ଭାବେ ଅର୍ଥନୈତିକ ନୀତି ଘୋଷଣା କରିଥିଲେ। ତତ୍କାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ମନମୋହନ ସିଂଙ୍କ ଦ୍ୱାରା ଏଭଳି ସଂସ୍କାର ଅଣାଯାଇଥିଲା। ସେତେବେଳେ ୩ଟି ଶବ୍ଦ ସର୍ବାଧିକ ଆଲୋଚିତ ହୋଇଥିଲା। ତାହା ଥିଲା ଲିବରାଲାଇଜେଶନ (ଉଦାରୀକରଣ) ପ୍ରାଇଭେଟାଇଜେଶନ(ଘରୋଇକରଣ) ଏବଂ ଗ୍ଲୋବାଲାଇଜେଶନ(ଜଗତୀକରଣ) ବା ଏଲ୍‌ପିଜି। ଏହାର ଅର୍ଥ ହେଲା ଭାରତୀୟ ବଜାର ବ୍ୟବସ୍ଥାକୁ ଉନ୍ମୁକ୍ତ କରିବା। ୧୯୯୧ ଜୁଲାଇ ପୂର୍ବରୁ ଭାରତୀୟ ଅର୍ଥନୀତିରେ ଯେଉଁ ମାନ୍ଦାବସ୍ଥା ଦେଖାଦେଇଥିଲା, ତାହାକୁ ପ୍ରତିହତ କରିବା ଲାଗି ମନମୋହନଙ୍କ ପରୀକ୍ଷଣ ସଫଳ ହୋଇଥିଲା ବୋଲି ଅନେକେ ଚିନ୍ତା କରନ୍ତି। କିନ୍ତୁ ତାହା ଏକ ସାମୟିକ ବ୍ୟବଚ୍ଛେଦ ଥିଲା ବୋଲି ପରେ ଜଣାପଡ଼ିଥିଲା। କୌଣସି କାରଣବଶତଃ ଜଣେ ବ୍ୟକ୍ତି ଖଣ୍ଡିଆ ହୋଇଗଲେ ତୁଳାରେ ଆଣ୍ଟିସେପ୍‌ଟିକ୍‌ ଲଗାଇ ସମ୍ପୃକ୍ତ ସ୍ଥାନରେ ଲେପ ଦେଲେ ଉପଶମ ମିଳିଥାଏ। କିନ୍ତୁ ସେହି ଆଘାତ ଦୀର୍ଘଦିନ ରହିଗଲେ ବଡ଼ ରୋଗର କାରଣ ପାଲଟିଥାଏ। ୧୯୯୧ ମସିହାର ଉଦାରୀକରଣକୁ ଦେଖିଲେ ସ୍ପଷ୍ଟ ବୁଝାପଡ଼େ ଯେ, ସେହି ସମୟର ଭାରତ ସରକାରଙ୍କ ଅର୍ଥ ଅଭାବକୁ ମେଣ୍ଟାଇବା ପାଇଁ ଏଲ୍‌ପିଜି ସଂସ୍କାର ଅଣାଯାଇଥିଲା। ସେଥିରେ ତତ୍‌କ୍ଷଣାତ୍‌ ଲାଭ ମିଳିଥିଲା। କିନ୍ତୁ କୌଣସି ଦୀର୍ଘମିଆଦୀ ସଫଳତା ଆଜି ପର୍ଯ୍ୟନ୍ତ ଦେଖାଯାଉ ନାହିଁ। ଅବଶ୍ୟ ସ୍ବୀକାର କରିବାକୁ ହେବ ଯେ ଅଳ୍ପ କେତେକ ଭାରତୀୟଙ୍କ ପାଖରେ ଦାମୀ ଗାଡ଼ି, ଘରୋଇ ଉଡ଼ାଜାହାଜ ଏବଂ ଗେଟେଡ୍‌ କଲୋନୀ ସୃଷ୍ଟି ହୋଇଗଲା। ସେହି ଅଳ୍ପ ଲୋକ ଧନୀ ହୋଇଚାଲିଛନ୍ତି ଏବଂ ଗରିବଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।
ମନମୋହନଙ୍କ ସମୟରେ ଅଣାଯାଇଥିବା ଆର୍ଥିକ ସଂସ୍କାର ସେବେଠାରୁ ଅଦ୍ୟାବଧି ଗଡ଼ିଆସିଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ସରକାରୀ ସମ୍ପତ୍ତିକୁ ବିକ୍ରି କରାଯାଇ ଅର୍ଥ ସୃଷ୍ଟି କରିବାର ମାନସିକତା ଯୋଗୁ ଦେଶବାସୀଙ୍କ ଉନ୍ନତି ହୋଇପାରି ନାହିଁ। ନରସିଂହ ରାଓଙ୍କ ସରକାର ପରେ ଯେତେ ଦଳ ନିର୍ବାଚିତ ହୋଇ ସରକାର ଗଢ଼ିଛନ୍ତି କେହି ଏହି ନୀତିଠାରୁ ଭିନ୍ନ ଚିନ୍ତା କରିବାକୁ ସତ୍‌ସାହସ କରିପାରୁ ନାହାନ୍ତି। ଏବକାର ସରକାର ମଧ୍ୟ ସମାନ ଢଙ୍ଗରେ କାର୍ଯ୍ୟ କରୁଛନ୍ତି। ପ୍ରତିରକ୍ଷା ଲାଗି ଉଦ୍ଦିଷ୍ଟ ଜମି ବିକ୍ରି କରିବାରେ ସରକାର ମୁଣ୍ଡ ପୂରାଇଛନ୍ତି। ଏହାଦ୍ୱାରା ଯେଉଁ କ୍ଷତି ଦେଶକୁ ହେବ ତାହାକୁ ଗୁରୁତ୍ୱର ସହ ବିଚାର କରାଯାଇ ନାହିଁ। ଭବିଷ୍ୟତରେ ଯଦି ଯୁଦ୍ଧ ହୁଏ, ତେବେ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଖରେ ଥିବା ଜମିର କେଉଁଭଳି ଉପଯୋଗ କରିବାର ପ୍ରୟୋଜନ ଉଠିବ ତାହା ଏବେ ଚିନ୍ତା କରିବା ଅସମ୍ଭବ। ଅନୁରୂପ ଭାବେ ରେଲଓ୍ବେର ବଳକା ଜମିକୁ ଯଦି ବିକ୍ରି କରିଦିଆଯାଏ, ତାହା ହେଲେ ଲୋକସଂଖ୍ୟା ଦୃଷ୍ଟିରୁ ଆଗାମୀ ଦିନରେ ଅଧିକ ରେଳପଥ ବିଛାଇବା ଦରକାର ପଡ଼ିଲେ ତାହାର ନିର୍ମାଣ ଅସମ୍ଭବ ହୋଇପଡ଼ିବ। ଗୋଟିଏପଟେ ସରକାର ବୁଲେଟ୍‌ ଟ୍ରେନ୍‌ କଥା କହୁଛନ୍ତି ଓ ଆରପଟେ ବିରାଟକାୟ ପରିବହନ ବ୍ୟବସ୍ଥା ବିକଶିତ କରାଯାଇପାରିଲେ ଅର୍ଥନୀତିରେ ବୃଦ୍ଧି ଆସିପାରିବ ବୋଲି ଅନ୍ୟ ଦେଶଗୁଡ଼ିକଠାରୁ ଯାହା ଜଣାପଡ଼େ ତାହାର ଭବିଷ୍ୟତ ନଷ୍ଟ କରିଦିଆଯାଉଛି। ସମ୍ପତ୍ତି ରଖିବା ବିରୋଧରେ ଅନେକ ଯୁକ୍ତି ବଢ଼ାଯାଇପାରେ। କିନ୍ତୁ ସେଭଳି ମାନସିକତା ପ୍ରଦର୍ଶନ କରୁଥିବା ବ୍ୟକ୍ତି କେବଳ କ୍ଷୁଦ୍ର ରାଜନୈତିକ ଚିନ୍ତାଧାରାରେ ପରିଚାଳିତ ବୋଲି ସ୍ପଷ୍ଟ କହିହେବ।
ଦୀର୍ଘ ୭ ବର୍ଷ ଧରି ଶାସନ କରିଆସୁଥିବା ଏବର କେନ୍ଦ୍ର ସରକାର ମନମୋହନଙ୍କ ରାସ୍ତାରେ ଗଡ଼ି ଚାଲିଥିବା ବେଳେ ଆଉ ଦୁଇଟି ବଡ଼ ଭୁଲ ନିଷ୍ପତ୍ତି ନେଇ ଦେଶର ଅର୍ଥନୀତିକୁ ଆହୁରି ଦୁର୍ବଳ କରିଦେଇଛନ୍ତି। ୨୦୧୬ ନଭେମ୍ବର ୮ରେ ଅଚାନକ ନିଷ୍ପତ୍ତି ନିଆଯାଇ ବିମୁଦ୍ରୀକରଣ କରାଯାଇଥିଲା। ଦେଶବାସୀଙ୍କ ମଧ୍ୟରୁ ଅନେକେ ନିଜର ସଞ୍ଚିତ ଅର୍ଥର ବୃହତ୍‌ ଦୁଇଟି କାଗଜ ନୋଟ୍‌କୁ ହରାଇ ଆର୍ଥିକ ଦୁର୍ବଳ ହୋଇଗଲେ। କୁଟୀର ଶିଳ୍ପ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଆର୍ଥିକ ସଙ୍କଟ ଦେଇ ଗତି କରିବାରୁ ଅନେକ ସଂସ୍ଥା ବନ୍ଦ ହୋଇଯାଇଛି। ଫଳରେ ନିଯୁକ୍ତି ହ୍ରାସ ପାଇଛି ଓ ଉତ୍ପାଦନ କମିଛି। ସେହିପରି ୨୦୧୭ ଜୁଲାଇ ୧ରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)କୁ ତରବରିଆ ଭାବେ ପ୍ରୟୋଗ କରାଯିବା ଦ୍ୱାରା ଦେଶର ଆର୍ଥିକ ସ୍ବାସ୍ଥ୍ୟ ଅଧିକ ବିଗିଡ଼ି ଯାଇଛି। ଏବେ ‘ଆତ୍ମନିର୍ଭର ଭାରତ’ କାର୍ଯ୍ୟକ୍ରମକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ବାସ୍ତବରେ ଯେଉଁମାନେ ସ୍ବଦେଶୀ ଓ ଆତ୍ମନିର୍ଭର କଥା କହୁଛନ୍ତି, ସେମାନେ ବୁଝିବା ଦରକାର ଯେ ଭାରତ ସେଭଳି ସ୍ବୟଂ ସମ୍ପୂର୍ଣ୍ଣ ସ୍ତରକୁ ଆସିପାରି ନାହିଁ। ଚାଇନା ସାମଗ୍ରୀ ବର୍ଜନ ଡାକରା ଦେଉଥିବା ବ୍ୟକ୍ତିମାନେ ମଧ୍ୟ ଜାଣିଛନ୍ତି ଯେ, ଭାରତରେ ପ୍ରସ୍ତୁତ ଔଷଧ ଲାଗି ଆକ୍ଟିଭ୍‌ ଫାର୍ମାସ୍ୟୁଟିକାଲ ଇନ୍‌ଗ୍ରେଡିଆଣ୍ଟ (ଏପିଆଇ) ସେହି ଚାଇନାଠାରୁ ବିପୁଳ ମାତ୍ରାରେ ଆମଦାନୀ ହୋଇଥାଏ।
ଏହା ସତ୍ୟ ଯେ, ଗତ ଶତାବ୍ଦୀର ୮୦ ଦଶକରେ ଜଣେ ଲୋକ ଗାଡ଼ି ଖଣ୍ଡେ କିଣିବା ପାଇଁ ବର୍ଷବର୍ଷ ଧରି ଅପେକ୍ଷା କରୁଥିଲେ। ହେଲେ ଉଦାରୀକରଣ ଯୋଗୁ ଅନ୍ତର୍ଜାତୀୟ ସଂସ୍ଥା ଭାରତୀୟ ବଜାରରେ ପ୍ରବେଶ କରିବାର ସୁଯୋଗ ପାଇଲେ। କିନ୍ତୁ କେତେ ଭାରତୀୟ ଗାଡ଼ି କିଣୁଛନ୍ତି ? ଏହି ଦେଶର ଜନସଂଖ୍ୟାକୁ ଦେଖିଲେ ତାହାର ପ୍ରତିଶତ ଅତ୍ୟନ୍ତ ନଗଣ୍ୟ। ଭାରତରେ ଅନେକ କୋଟି ଲୋକ ଆଜି ମଧ୍ୟ ପିଇବା ଉପଯୋଗୀ ପାଣି ପାଇବାରୁ ବଞ୍ଚିତ । ଦେଖିବାକୁଗଲେ ଭାରତର ସହରାଞ୍ଚଳରେ ନ୍ୟୁୟର୍କର ସୁବିଧା ଏବଂ ମାଲିର ଦାରିଦ୍ର୍ୟ କାନ୍ଧକୁ କାନ୍ଧ ଲଗାଇ ଛିଡ଼ାହୋଇଛି। ସେଥିପାଇଁ କେବଳ ଘରୋଇକରଣ ଏବଂ ଜଗତୀକରଣ ଦ୍ୱାରା ଭାରତର ଅର୍ଥନୈତିକ ସ୍ଥିତିରେ ସୁଧାର ଆସିପାରୁ ନାହିଁ। ଏହି ଦେଶର ପ୍ରାୟ ସମସ୍ତ ଶିଳ୍ପପତି ଏବେ କେବଳମାତ୍ର ବ୍ୟବସାୟୀ। ଦେଶର ପ୍ରାକୃତିକ ସମ୍ବଳକୁ ଅପବ୍ୟବହାର କରି ଏମାନେ ଅନେକ ହଜାର କୋଟି ଟଙ୍କାର ମାଲିକ। ସେଥିପାଇଁ ଭାରତୀୟ ଧନୀଙ୍କୁ ସବୁବେଳେ ସରକାରୀ ସହଯୋଗ ଲୋଡ଼ା ହୋଇଥାଏ।
କୋଭିଡ୍‌ ମହାମାରୀ ସମୟରେ ଭାରତୀୟ ଅର୍ଥନୀତି ଅଧିକ ପ୍ରଭାବିତ ହୋଇଛି। ଇତିମଧ୍ୟରେ କେନ୍ଦ୍ର ସରକାର କେବଳ ଋଣ ସହାୟତା ପ୍ୟାକେଜ ଦେଇ ଶିଳ୍ପ ଅଭିବୃଦ୍ଧି କରିବାକୁ ଚାହୁଁଛନ୍ତି। କିନ୍ତୁ ସ୍ଥିତି ଯାହା ହୋଇଛି କ୍ଷୁଦ୍ର ବ୍ୟବସାୟୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିବାରୁ ସେମାନେ ଋଣ ନେଇ ଶିଳ୍ପ ଛିଡ଼ା କରିବା କଷ୍ଟକର ବ୍ୟାପାର। ଆଜିର ପରିସ୍ଥିତିରେ ତତ୍‌କ୍ଷଣାତ୍‌ ଅର୍ଥନୈତିକ ପରୀକ୍ଷଣ କରା ନ ଯାଇ ସମଗ୍ର ଦେଶର ଅର୍ଥ ବ୍ୟବସ୍ଥା କିଭଳି ସୁଧୁରିବ ଓ ତାହାର ଦୀର୍ଘମିଆଦୀ ପ୍ରଭାବ ରହିବ ତାହାକୁ ପ୍ରାଧାନ୍ୟ ଦିଆଯିବା ଦରକାର। ଆଜିର ସମୟରେ କେନ୍ଦ୍ର ସରକାର କେବଳ ନିଜ ମନ୍ତ୍ରିମଣ୍ଡଳ ଓ କାର୍ଯ୍ୟରତ ଅମଲାତନ୍ତ୍ରୀଙ୍କୁ ନେଇ ନୀତି କରିବାରେ ସବୁ କିଛି ସୀମିତ ନ ରଖି ସରକାରଙ୍କ ବାହାରେ ଥିବା ବିଶେଷଜ୍ଞ ଓ ଅନୁଭୂତିସମ୍ପନ୍ନ ବ୍ୟକ୍ତିଙ୍କୁ ସାମିଲ କରି ଅର୍ଥନୀତି ସୁଧାରିବା ଦିଗରେ ପଦକ୍ଷେପ ନେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?