କେନ୍ଦୁଝର ଜିଲାର ୩ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଳିଲା ‘ଏନ୍‌କ୍ୟୁଏଏସ୍‌ ପ୍ରମାଣପତ୍ର’

କେନ୍ଦୁଝର,୨୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ତିନୋଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ପିଏଚ୍‌ସି)କୁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଉନ୍ନତମାନର ସ୍ବାସ୍ଥ୍ୟ ଭିତ୍ତିଭୂମି ଏବଂ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଣ ପାଇଁଏନ୍‌କ୍ୟୁଏଏସ୍‌ (ନ୍ୟାଶନାଲ କ୍ୱାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ) ପ୍ରୋଗ୍ରାମ ଅନ୍ତର୍ଗତ ‘କ୍ୱାଲିଟି ସାର୍ଟିଫିକେଶନ’ ପ୍ରଦାନ କରାଯାଇଛି। ଏହି ହସ୍ପିଟାଲଗୁଡ଼ିକ ହେଉଛି ଘଟଗାଁ ବ୍ଲକର ପଣ୍ଡାପଡ଼ା ପିଏଚ୍‌ସି, ହରିଚନ୍ଦନପୁର ବ୍ଲକର ଜଙ୍ଘିରା ପିଏଚ୍‌ସି ଏବଂ ଚମ୍ପୁଆ ବ୍ଲକର ଭୂଇଁପୁର ପିଏଚ୍‌ସି। ନିକଟରେ ୨୩ ଜୁନ୍‌ରୁ ୨୮ ଜୁନ୍‌ ମଧ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟରୁ ଉଚ୍ଚସ୍ତରୀୟ ଟିମ୍‌ କେନ୍ଦୁଝର ଜିଲା ଗସ୍ତରେ ଆସି ଏସବୁ ହସ୍ପିଟାଲ ପରିଦର୍ଶନ କରିଥିଲେ। ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ସହାୟତାରେ ଏସବୁ ହସ୍ପିଟାଲରେ ଛିଡ଼ା ହୋଇଥିବା ଉନ୍ନତମାନର ଭିତ୍ତିଭୂମି ଦେଖି କେନ୍ଦ୍ରୀୟ ଟିମ୍‌ ଅଭିଭୂତ ହେବା ସହ ରୋଗୀଙ୍କୁ ମିଳୁଥିବା ଗୁଣାତ୍ମକ ସ୍ବାସ୍ଥ୍ୟସେବାକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ସମସ୍ତ ବ୍ୟବସ୍ଥା ଦେଖିସାରିବା ପରେ କେନ୍ଦ୍ରୀୟ ଟିମ୍‌ ତିନୋଟି ପିଏଚ୍‌ସିକୁ ଏନ୍‌କ୍ୟୁଏଏସ୍‌ ପ୍ରାବଧାନ ଆଧାରରେ ସ୍କୋର ପ୍ରଦାନ କରିଛନ୍ତି। ପଣ୍ଡାପଡ଼ା ପିଏଚ୍‌ସିକୁ ୯୦.୨୪ % ସ୍କୋର ମିଳିଥିବା ବେଳେ ଜଙ୍ଘିରା ଓ ଭୂଇଁପୁର ପିଏଚ୍‌ସିକୁ ଯଥାକ୍ରମେ ୮୯.୦୪% ଏବଂ ୮୫.୪୩ % ଲେଖାଏ ସ୍କୋର ମିଳିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିଶାଳ ଚୌହାଣ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସଚିବଙ୍କୁ ଏକ ଚିଠି ଜରିଆରେ ଜଣାଇଛନ୍ତି।