ଆକାଉଣ୍ଟରୁ ଠକି ନେଲେ ୩ ଲକ୍ଷ

ବ୍ରହ୍ମପୁର ଅଫିସ,୩୧ା୭: ବ୍ରହ୍ମପୁର ସଦର ଥାନା ଅଧୀନ ଶକ୍ତିନଗର ତୃତୀୟ ଲାଇନ୍‌ ବାସିନ୍ଦା ରବିନାରାୟଣ ପଟ୍ଟନାୟକ ସାଇବର ଠକେଇର ଶିକାର ହୋଇଛନ୍ତି। ସାଇବର ଠକମାନେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩ ଲକ୍ଷ ୨୫ ହଜାର ଟଙ୍କା ଠକି ନେଇଛନ୍ତି। ଏ ନେଇ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା(ନଂ.୨୬/୨୨) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ମୁତାବକ, କିଛିଦିନ ତଳେ ରବିନାରାୟଣଙ୍କ ମୋବାଇଲକୁ ଏକ ମେସେଜ୍‌ ଆସିଥିଲେ। ଏଥିରେ ଆକାଉଣ୍ଟ ବ୍ଲକ ହୋଇଯିବ, ଏଣୁ ପାନ୍‌କାର୍ଡ ଅପଡେଟ୍‌ କରିବାକୁ ଉଲ୍ଲେଖ ରହିଥିଲା। ଏନେଇ ସେ ମେସେଜ୍‌ ସହ ଆସିଥିବା ଲିଙ୍କ୍‌ରେ କ୍ଲିକ୍‌ କରିଥିଲେ। ପରେ ମୋବାଇଲରେ ଏକ ଅନ୍‌ଲାଇନ ପେଜ୍‌ ଖୋଲିବା ସହ ରବିନାରାୟଣ ସେଥିରେ ଆକାଉଣ୍ଟର ୟୁଜର ନେମ୍‌ ଏବଂ ପାସ୍‌ୱାର୍ଡ ଦେଇଥିଲେ। ପରେ ଆଉ ଏକ ପେଜ୍‌ ଖୋଲିବା ସହ ସେଥିରେ ପାନ୍‌କାର୍ଡ ନମ୍ବର, ଜନ୍ମ ତାରିଖ ଦାଖଲ କରିଥିଲେ। ଏହାର କିଛି ସମୟ ପରେ ମୋବାଇଲ ନମ୍ବରକୁ ୨ଟି ଓଟିପି ଆସିଥିଲା। ଓଟିପି ଦାଖଲ ପରେ ତାଙ୍କ ଷ୍ଟେଟ୍‌ବ୍ୟାଙ୍କ ଆକାଉଣ୍ଟରୁ ୩ ଲକ୍ଷ ୨୪ ହଜାର ୯୯୯ ଟଙ୍କା ଗାଏବ ହୋଇଯାଇଥିଲା।